ଦୁଇ ଭାଇଙ୍କୁ ପ୍ରଥମେ ବିଚ ରାସ୍ତାରେ ହାଣିବା ପରେ ତାଙ୍କ ଉପରକୁ ଟ୍ରକ୍‌ ଚଢ଼ାଇ ଦେଲେ ଦୁର୍ବୃତ୍ତ; ଭାଇରାଲ ହେବାରେ ଲାଗିଛି ଭିଡିଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି । ତେବେ ଭୟଙ୍କର ଓ ନିର୍ମମ ହତ୍ୟାକାଣ୍ଡର ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଠଗଡ ଅନ୍ତର୍ଗତ ତିଗିରିଆ ଥାନା ଭିରୁଡ଼ା ଛକରେ ଦୁଇ ଭାଇଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ବେଳର ଦୃଶ୍ୟ ଏହି ଭିଡିଓରେ ରହିଛି।

ପ୍ରଥମେ ଦୁଇ ଭାଇଙ୍କୁ କିଛି ଦୁର୍ବୃତ୍ତ ମାରଣାସ୍ତ୍ରରେ ବିଚ୍‌ ରାସ୍ତାରେ ଆକ୍ରମଣ କରିଥିଲେ। ସେମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ିଯିବା ପରେ ସେମାନଙ୍କ ଉପରେ ଆକ୍ରମଣକାରୀମାନେ ୧୦ ଚକିଆ ଟ୍ରକ ଚଢ଼ାଇ ଦେଇଛନ୍ତି। ସେପଟେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ସମସ୍ତେ ବିଚଳିତ ହୋଇଛନ୍ତି। ଦିନ ଦ୍ୱିପ୍ରହରରେ ସର୍ବସମ୍ମୁଖରେ ଏହି ହତ୍ୟାକାଣ୍ଡ ଜୁଲାଇ ୭ ତାରିଖ ଘଟିଥିଲା। ତେବେ ଘଟଣାର ୫ଦିନ ପରେ ବି ହତ୍ୟାକାରୀଙ୍କ ଟେର ପାଉନି ତିଗିରିଆ ପୁଲିସ। ପରିବାର ଲୋକ ହତ୍ୟା ଅଭିଯୋଗ ଆଣି ତିଗିରିଆ ଥାନାରେ ଏତଲା ଦେବା ପରେ ପୁଲିସ୍‌ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସାଇଣ୍ଟିଫିକ୍ ଟିମ ସହ ତଦନ୍ତ ଆରମ୍ଭ କରିଛି।

ଅନ୍ୟପଟେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ଉପର ଛକକୁ ଜୁଲାଇ ୭ ତାରିଖ ଅପରାହ୍ନରେ ଦୁଇ ଭାଇ ଶରତ ଓ ଲକ୍ଷ୍ମଣ ଦେହୁରୀ ନୂଆ କରି ବାହା ହୋଇଥିବା ଝିଅର ସଜ ଜିନିଷ କିଣିବାକୁ ଯାଇଥିଲେ। ସେମାନେ ଏକାଠି କିଣାଣକିଣି କରି ଗୋଟିଏ ଦୋକାନରେ ବସିଥିବା ବେଳେ କିଛି ଯୁବକ ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏହି ସମୟରେ ସେମାନଙ୍କ ସହ ଆଉ ଜଣେ ସମ୍ପର୍କୀୟ ଭାଇ ଅଶୋକ ବେହେରା ମଧ୍ୟ ରହିଥିଲେ। ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। କିନ୍ତୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।

Related Posts