କଂଗ୍ରେସ ଛାଡିଲେ ପ୍ରଣୟ ସାହୁ

ବରଗଡ – ଓଡିଶା କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା । ଗତ ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ପ୍ରଣୟ ସାହୁ ହାତ ଛାଡିଛନ୍ତି । ଦଳରେ ତାଙ୍କୁ ଗୁରୁତ୍ୱ ଦିଆଯାଉ ନଥିବାରୁ ସେ ଦଳ ଛାଡିଥିବା ସୂଚନା ଦେଇଛନ୍ତି ।

୨୦୧୮ ବିଜେପୁର ଉପନିର୍ବାଚନରେ ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ବିଜେଡିରେ ମିଶି ବିଜେଡି ଟିକଟରେ ନିର୍ବାଚନ ଲଢ଼ିବା ବେଳେ ସ୍ୱର୍ଗତ ସାହୁଙ୍କ ଏକାନ୍ତ ସହଯୋଗୀ ଥିବା ପ୍ରଣୟ କଂଗ୍ରେସ ପାଇଁ ସାଜିଥିଲେ ସଂଜିବନୀ । କିନ୍ତୁ ନିର୍ବାଚନ ପରେ ତାଙ୍କୁ ଦଳରେ ଗୁରୁତ୍ୱ ଦିଆଯାଇ ନଥିବା ଅଭିଯୋଗ ଆଣିଛନ୍ତି ପ୍ରଣୟ ।

ସତ୍ୟପାଠକୁ ସୂଚନା ଦେଇ ପ୍ରଣୟ କହିଛନ୍ତି, “ମୋ ଇସ୍ତଫା ପାଇଁ ମୁଁ କାହାକୁ ଦୋଷ ଦେବାକୁ ଚାହେଁନି । ପ୍ରକୃତ କାରଣ ହେଉଛି, ନିର୍ବାଚନ ପରାଜୟ ପରେ ପିସିସିକୁ ବାରମ୍ବାର ଅନୁରୋଧ କରିଥିଲି ପରାଜୟର ସମୀକ୍ଷା କରିବା ପାଇଁ । ଏତେଦିନ ପରେ ବି ଦଳର ପରାଜୟ ପାଇଁ କେଉଁଠି ଭୁଲ ରହିଲା, ତାର ସମୀକ୍ଷା କରାଗଲାନି । ନିର୍ବାଚନ ପାଖଉ ଥିବା ବେଳେ ଦଳର ସାଂଗଠାନିକ ବୃଦ୍ଧି ପାଇଁ ଠୋସ ପଦକ୍ଷେପ ନିଆଗଲା ନାହିଁ । ଏପରିକି ସାଂଗଠାନିକ ପୁନର୍ବିନ୍ୟାସରେ ମୋର ମତାମତ ମଧ୍ୟ ନିଆଗଲା ନାହିଁ । କେବଳ ସେତିକି ନୁହେଁ ପିସିସି ସଭାପତିଙ୍କ ଗସ୍ତ ବେଳେ ପ୍ରସ୍ତୁତି ବୈଠକକୁ ବି ମୋତେ ଖବର ଦିଆଗଲା ନାହିଁ । ତେଣୁ ଦଳରେ କୋଣଠେସା ହୋଇ ରହିବା ଅପେକ୍ଷା ମୁଁ ଇସ୍ତଫା ଦେଲି ।”

ତେବେ ୨୦୧୯ ନିର୍ବାଚନରେ କୌଣସି ଦଳରୁ ପ୍ରାର୍ଥୀ ହେବେ ନାହିଁ ବୋଲି ସତ୍ୟପାଠକୁ ପ୍ରତିକ୍ରିୟାରେ କହିଛନ୍ତି ପ୍ରଣୟ । ନିଜ ସହଯୋଗୀ ଓ କର୍ମୀମାନଙ୍କ ପରାମର୍ଶରେ କୌଣସି ଏକ ଦଳକୁ ସେ ସମର୍ଥନ କରିପାରନ୍ତି ବୋଲି ପ୍ରଣୟ ସାହୁ କହିଛନ୍ତି । ଏସବୁ ଭିତରେ ବଡ କଥା ହେଉଛି, ପ୍ରଣୟଙ୍କ ପରେ ହାତଶୂନ୍ୟ ହୋଇଯାଇଛି ବିଜେପୁର । କାରଣ ପ୍ରଣୟଙ୍କ ଭଳି ଦଳୀୟ ନେତା ମଧ୍ୟ ସେଠାରେ ନାହାଁନ୍ତି । ତେବେ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ବିଜେପୁର କଂଗ୍ରେସ ପାଇଁ ପ୍ରଣୟଙ୍କ ଇସ୍ତଫା ଏକ ବଡ ଝଟକା ବୋଲି କୁହାଯାଇପାରେ ।

Related Posts