ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ ପରେ ଟିଆର୍‌ଏସ୍‌ ନେତାଙ୍କୁ ହତ୍ୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସ୍ୱାଧୀନତା ଦିବସରେ ଟିଆର୍‌ଏସ୍‌ ନେତାଙ୍କୁ ନିର୍ମମ ହତ୍ୟା। ଜାତୀୟ ପତାକା ଉତ୍ତୋଳନର କିଛି ମିନିଟ୍‌ ପରେ ପରେ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିର ନେତା ତମ୍ମିନେନି କୃଷ୍ଣୈୟାଙ୍କୁ ୪ଜଣ ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ହତ୍ୟା ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡିଛି।ସପଟେ ଏହି ହତ୍ୟା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି।

ପୁଲିସ ସୂଚନା ମୁତାବକ, ସୋମବାର ଟିଆରଏସ ନେତା ତମ୍ମିନେନି କୃଷ୍ଣୈୟା ଖମ୍ମମ ମଣ୍ଡଳରେ ଜାତୀୟ ପତାକା ଉତ୍ତୋଳନ କରି ଘରକୁ ଫେରୁଥିଲେ। ଏହି ସମୟରେ ୪ ଜଣ ଦୁର୍ବୃତ୍ତ ତେଲଦରୁପଲ୍ଲୀ ଗାଁରୁ ଅଟୋରିକ୍ସାରେ ଆସିଥିଲେ। ସେମନେ ହଠାତ୍‌ ଟିଆର୍‌ଏସ୍‌ ନେତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ଛାଡି ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ କୃଷ୍ଣୈୟାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଛି।

ପୁଲିସ ମିଳିଥିବା ପ୍ରମାଣ ଆଧାରରେ ଏକ ଏଫଆଇଆର ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ୪ଟି ଟିମ୍‌ ଗଠନ କରିଛି। ଘଟଣା ବେଳେ ଉପସ୍ଥିତ ଥିବା ଲୋକଙ୍କୁ ପୁଲିସ ପଚରାଉଚରା ମଧ୍ୟ ଜାରି ରହିଛି। ସେପଟେ ନେତାଙ୍କୁ ହତ୍ୟା ପରେ ଲୋକଙ୍କ ମଧ୍ୟରେ ଆକ୍ରୋସ ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକେ ସିପିଆଇ(ଏମ) ନେତା ତାମିନେନି କୋଟେଶ୍ୱର ରାଓଙ୍କ ବାସଭବନ ଉପରକୁ ପଥର ମାଡ କରିଛନ୍ତି। ଟିଆର୍‌ଏସ୍‌ ନେତାଙ୍କ ହତ୍ୟା ପଛରେ ସିପିଆଇ(ଏମ୍‌) ନେତା ତଥା ତାଙ୍କ ସମ୍ପର୍କୀୟଙ୍କ ହାତ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ତେଲଦାରୁପାଲ୍ଲି ଗ୍ରାମ ପଞ୍ଚାୟତରେ ୧୪୪ ଧାରା ଲାଗୁ କରାଯାଇଛି। ସୂଚନା ଯୋଗ୍ୟ ଯେ, ତାମିନେନି କ୍ରିଷ୍ଣିଆ କିଛି ଦିନ ପୂର୍ବରୁ ସିପିଏମ ଛାଡି ତେଲେଙ୍ଗାନା ରାଷ୍ଟ୍ରୀୟ ସମିତିରେ ଯୋଗ ଦେଇଥିଲେ।

Related Posts