ୟୁପି ସରକାରଙ୍କ ବଡ଼ ନିଷ୍ପତି; ବିଜେପିର ବିଧାୟକ ଓ ମନ୍ତ୍ରୀଙ୍କ ନାମରେ ଥିବା ସମସ୍ତ ମାମଲା ହେବ ପ୍ରତ୍ୟାହାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତର ପ୍ରଦେଶର ଯୋଗୀ ସରକାର ନିଜ ଦଳର ବିଧାୟକ ଓ ମନ୍ତ୍ରୀମାନଙ୍କ ଉପରେ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିନେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମଧ୍ୟ କୁହାଯାଇଛି । ସେପଟେ ମନ୍ତ୍ରୀ ଓ ବିଧାୟକଙ୍କ ଉପରେ ହୋଇଥିବା ସମସ୍ତ ମାମଲାର ସ୍କ୍ରିନିଂ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ଉତ୍ତର ପ୍ରଦେଶ ବିଜେପିର ଅନେକ ବିଧାୟକ ଓ ମନ୍ତ୍ରୀଙ୍କ ନାମରେ ଶହ ଶହ ମାମଲା ପଡିରହିଛି ।ଉତ୍ତର ପ୍ରଦେଶର ସରକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ବିଜେପିର ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ନାମରେ ଥିବା ମାମଲାର ସ୍କ୍ରିନିଂ ପର୍ଯ୍ୟାୟ ଶେଷ ପାହାଚରେ ପହଂଚିଛି । ଏହି ପ୍ରକ୍ରିୟା ସରିବା ମାତ୍ରେ ଯୋଗୀ ସରକାର ମାମଲା ସବୁକୁ ପ୍ରତ୍ୟାହାର ନେଇ ଘୋଷଣା କରିବେ ।

ସେପଟେ ଯୋଗୀ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ବିରୋଧୀ ସମାଜବାଦୀ ପାର୍ଟି ଓ କଂଗ୍ରେସ । ଏହି ନିଷ୍ପତିକୁ ଉଭୟ ବିରୋଧୀ ଦଳ ଅସାମ୍ବିଧାନିକ ବୋଲି କହିଛନ୍ତି । ସମାଜବାଦୀ ପାର୍ଟିର ପ୍ରବକ୍ତା ଅନୁରାଗ ଭଦୋରିଆ କହିଛନ୍ତି ଯେ, ବିଜେପି ତାର ଅପରାଧୀକ ପ୍ରବୃତ୍ତି ରଖିଥିବା ମନ୍ତ୍ରୀ ଓ ବିଧାୟକଙ୍କୁ ସୁରକ୍ଷା ଦେବାକୁ ଏଭଳି କରିବାକୁ ଯାଉଛି । ସେପଟେ କଂଗ୍ରେସ ପ୍ରବକ୍ତା ଅଂଶୁ ଅଶ୍ୱସ୍ଥି କହିଛନ୍ତି ଏହା ଆଇନ ବିରୋଧୀ । କାହା ଉପରେ ମାମଲା ହେବ ଓ କାହାକୁ ମାମଲାରୁ ମୁକ୍ତ କରାଯିବ ତାହା ନ୍ୟାୟପାଳିକା ବିଚାର କରିବ । ହେଲେ ଏହି ମାମଲାରେ ସରକାର ନ୍ୟାୟପାଳିକା କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା କଥା ସେ ଅଭିଯୋଗ କରିଛନ୍ତି ।

Related Posts