ଟେକିଲେ ଦୁଇ, ଖସିଲେ ଏକ

ଭୁବନେଶ୍ୱର- ଏକାସାଙ୍ଗରେ ଏକା ଢଙ୍ଗରେ ନବୀନଙ୍କୁ ପ୍ରଶଂସା କରିଥିଲେ ସୁନ୍ଦରଗଡ ବିଧାୟକ ଯୋଗେଶ ସିଂ ଓ ସାଲେପୁର ବିଧାୟକ ପ୍ରକାଶ ବେହେରା । ଯୋଗେଶଙ୍କୁ ସୋ’କଜ୍ ହେଲା, ସସପେଣ୍ଡ ବି କରାଗଲା ହେଲେ ଖସିଗଲେ ପ୍ରକାଶ । କିନ୍ତୁ କାହିଁକି ଖସିଗଲେ ପ୍ରକାଶ ? ପ୍ରକାଶଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବେଳକୁ କାହିଁକି ଡରିଲା କଂଗ୍ରେସ । ଏ ପ୍ରଶ୍ନ ଏବେ କଂଗ୍ରେସ ଅଳିନ୍ଦକୁ ଘାଂଟି ଚକଟି ପକାଉଛି ।

ବିଗତ ଦିନ ମାନଙ୍କରେ ଅନେକଥର ପ୍ରକାଶ ଗଣମାଧ୍ୟମରେ ବିଜେଡିକୁ ପ୍ରଶଂସା କରି ବିବୃତି ଦେଇଛନ୍ତି । ନିଜ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରି ହୋର୍ଡିଂ ବି ମାରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ଏକ ସରକାରୀ ସଭାରେ ପ୍ରଶଂସା ବି କରିଥିଲେ । ଆଉ ଏବେ ନବ ଦାସ ଦଳ ଛାଡିବା ପରେ ବି ସେ ଓ ଯୋଗେଶ ଦୁହେଁ ଏକାସାଙ୍ଗରେ ମିଡିଆକୁ ବାଇଟ୍ ଦେଇ ନବୀନଙ୍କୁ ପ୍ରଶଂସା କରିଥିଲେ । କିନ୍ତୁ ଅସଲ ବେଳକୁ ଯୋଗେଶ ଫସିଗଲେ ଆଉ ଖସିଗଲେ ପ୍ରକାଶ ବେହେରା ।

ମୁଖ୍ୟମନ୍ତ୍ରୀ ଓ ବିଜେଡିକୁ ପ୍ରଶଂସା କରି ପ୍ରକାଶ କେବେ କଣ କହିଥିଲେ ପଢ଼ନ୍ତୁ :

: ୨୦୧୬ ଅକ୍ଟୋବର ୨୨ ରେ ସାଲେପୁରରେ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସହ ଷ୍ଟେଜ ସେୟାର କରିଛନ୍ତି । ଏକାଠି ବସିଛନ୍ତି । ନିଜ ନିର୍ବାଚନମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରି ଶୃଙ୍ଖଳିତ ବିଧାୟକର ପରିଚୟ ଦେଇଛି ।

: ୨୦୧୮ ଏପ୍ରିଲ ୧୨ରେ ଏକ ଟିଭି ଇଂଟରଭିୟୁରେ କହିଥିଲେ ସଭାପତି ଆମ କଥା ଶୁଣୁ ନାହାଁନ୍ତି ବୋଲି ବିଜେଡି ଭଲ ସ୍ଥିତିରେ ରହୁଛି । ପିସିସି ସଭାପତି ହଟିବା ଦରକାର । ସରକାର ଗଢ଼ିବା ସ୍ଥିତିରେ ନାହିଁ ଦଳ । ପ୍ରସାଦ ଦଳପତି ହୋଇ ରହିଲେ ନିର୍ବାଚନ ଲଢ଼ିବି କାହା ନେତୃତ୍ୱରେ ଲଢ଼ିବି କହି ପାରିବିନି । ମୋ କର୍ମୀ ଯାହା କହିବେ, ମୁଁ ସେଇଆ କରିବି ।

: ୨୦୧୮ ଜୁନ ୨୯ ତାରିଖରେ କହିଥିଲେ ସରକାର ଗଢ଼ିବା ସ୍ଥିତିରେ ରହିଛି ବିଜେଡି । କହିଥିଲେ କଳ୍ପନା ସତ ହୋଇପାରେ , ମିଛ ବି ହୋଇପାରେ । ୨୦୧୪ରେ ସାଲେପୁର ବିଧାୟକ ହୋଇଥିଲେ । ୱାନ ମ୍ୟାନ ୱାନ ପୋଷ୍ଟ ପାଇଁ ସେ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ ।

: ୨୦୧୮ ଡିସେମ୍ବର ୧୪ରେ କହିଥିଲେ ବିଜେଡି ବା ସରକାରୀ ଦଳ ଭଲ ସ୍ଥିତିରେ ଅଛି ।

: ୨୦୧୯ ଜାନୁଆରୀ ୧୪ରେ ନବ ଦାସ ଛାଡିବା ପରେ କହିଥିଲେ ୨୦ବର୍ଷ ହେଲା ବିଜେଡି ଭଲ ସ୍ଥିତିରେ ଅଛି । ଏବେ ବି ଭଲ ସ୍ଥିତିରେ ଅଛି । ମୁଁ ସ୍ୱାଧୀନ ଭାବେ ଲଢ଼ିବାର ନାହିଁ । ଯଦି ପାର୍ଟି ଟିକଟ ନଦେଲା ଚିନ୍ତା କରିବି ।

ଏସବୁର ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି । ତଥାପି ଯୋଗେଶଙ୍କୁ ନିଲମ୍ବନ କରି ନାଲିଆଖି ଦେଖାଇଥିବା କଂଗ୍ରେସ ପ୍ରକାଶଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛି କାହିଁକି । ଅବଶ୍ୟ ଏକଥା ସତ, ଉପକୂଳ ଓଡିଶାରେ ଯେତେବେଳେ ପ୍ରସାଦ ହରିଚନ୍ଦନଙ୍କ ଭଳି ନେତା ପରାଜୟ ଦେଖିଥିଲେ ସେତେବେଳେ ୨୦୧୪ ରେ ସାଲେପୁରରୁ କଂଗ୍ରେସ ଟିକଟରେ ବିଜୟୀ ହୋଇଥିଲେ ପ୍ରକାଶ । ସେ ଦୃଷ୍ଟିରୁ ଦେଖିବାକୁ ଗଲେ ପ୍ରକାଶଙ୍କ ଲୋକପ୍ରିୟତା ପାଇଁ ତାଙ୍କର ଦବଦବା ରହିଛି । ହୁଏତ ସେଥିପାଇଁ ପ୍ରକାଶଙ୍କ ଦେହରେ ହାତମାରି ଉପକୂଳକୁ ବିଧାୟକ ଶୂନ୍ୟ କରିବାକୁ ଚାହୁଁନି କଂଗ୍ରେସ । ଏ ତମାମ ସ୍ଥିତିକୁ ଦେଖିଲେ କିନ୍ତୁ ଗୋଟିଏ କଥା ସ୍ପଷ୍ଟ, ଯଦି ପ୍ରକାଶଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ନାହିଁ ତାହାହେଲେ ଯୋଗେଶଙ୍କ ପାଇଁ ଅଲଗା ନିୟମ କାହିଁକି ……

Related Posts