କଂଗ୍ରେସ ବିନା ବିରୋଧୀ ମେଣ୍ଟ ଅସମ୍ପୂର୍ଣ୍ଣ – ଶିବସେନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାତୀୟ ସ୍ତରରେ ଧୀରେ ଧୀରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି। ଗତ କିଛିଦିନ ତଳେ ବରିଷ୍ଠ ଟିଏମସି ନେତା ଯଶୋବନ୍ତ ସିହ୍ନାଙ୍କ ରାଷ୍ଟ୍ରମଞ୍ଚ ଆହ୍ବାନରେ ଏନସିପି ସମେତ ବହୁ ପ୍ରମୁଖ ରାଜନେତା ଏବଂ ବିଶିଷ୍ଟ ବ୍ୟକ୍ତି ଶରଦ ପାୱାରଙ୍କ ବାସଭବନରେ ଏକ ବୈଠକ କରିଥିଲେ। ଏହି ବୈଠକ ଆଗାମୀ ସାଧାରଣ ନିର୍ବାଚନରେ ତୃତୀୟ ସାମ୍ମୁଖ୍ୟ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। କିନ୍ତୁ ଶରଦ ପାୱାର ଏ ଦାବିକୁ ଖଣ୍ଡନ କରିଥିଲେ। ସବୁଠାରୁ ବଡ଼ କଥା ହେଉଛି ଏହି ବୈଠକରେ ଶିବସେନା, ବିଏସପି ସମେତ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ପାର୍ଟି ଏହି ବୈଠକରେ ସାମିଲ ହୋଇନଥିଲେ। ଏହା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ କଂଗ୍ରେସକୁ ନେଇ ବଡ଼ ବୟାନ ଦେଇଛନ୍ତି। ଜାତୀୟ ସ୍ତରରେ ସମସ୍ତ ବିରୋଧୀଙ୍କୁ ଏକାଠି କରାଯାଉଛି। ତେବେ କଂଗ୍ରେସ ବିନା ବିରୋଧୀଙ୍କ ଏହି ମେଣ୍ଟ ଅସଂପୂର୍ଣ୍ଣ ବୋଲି ସେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ଶକ୍ତିଶାଳୀ ବିକଳ୍ପ କଂଗ୍ରେସ ଯୋଗାଇ ପାରିବ। ବରୋଧୀଙ୍କ ଏହି ଗଠବନ୍ଧନରେ କଂଗ୍ରେସ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଉତ କହିଛନ୍ତି। କିଛି ଦିନ ପୂର୍ବରୁ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଘରେ ଟିଏମସି, ସପା, ଆପ, ଆରଏଲଡି ଓ ବାମପନ୍ଥୀ ଭଳି ୮ଟି ବିରୋଧୀ ଦଳର ନେତାମାନେ ବୈଠକ କରିଥିଲେ। ଏହି ବୈଠକରେ ଦେଶରେ ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ବୈଠକରେ କଂଗ୍ରେସ ଯୋଗ ଦେଇ ନଥିବାରୁ ବିରୋଧୀଙ୍କ ଏହି ମେଣ୍ଟକୁ ତୃତୀୟ ସାମ୍ମୁଖ୍ୟ ଭାବେ ରାଜନୈତିକ ବିଶେଷଜ୍ଞମାନେ ଦେଖୁଥିବା ବେଳେ ସଞ୍ଜୟ ରାଉତଙ୍କ ଏଭଳି ବୟାନକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଶରଦ ପାୱାର ମଧ୍ୟ କହିଥିଲେ ଯେ କଂଗ୍ରେସକୁ ବାଦ୍‌ ଦେଇ କୌଣସି ବିକଳ୍ପ ମେଣ୍ଟ କଥା ଚିନ୍ତା କରାଯାଇ ପାରିବ ନାହିଁ । ସଞ୍ଜୟ ରାଉତ କହିଛନ୍ତି, କୌଣସି ତୃତୀୟ ସାମ୍ମୁଖ୍ୟ କିମ୍ବା ଅନ୍ୟ କୌଣସି ଫ୍ରଣ୍ଟର ଆବଶ୍ୟକ ନାହିଁ। ଶରଦ ପାୱାର ଏକଥା ପୂର୍ବରୁ ସ୍ପଷ୍ଟ କରିଛନ୍ତି। ଶିବସେନା ମଧ୍ୟ ଦଳୀୟ ମୁଖପତ୍ର ସାମନାରେ ମଧ୍ୟ ଏହି କଥା କହି ସାରିଛି। ମୁଁ ମଧ୍ୟ ଜାଣିବାକୁ ପାଇଛି ଯେ କଂଗ୍ରେସ ବି ଏଥିରେ ଏକମତ ହୋଇଛି। ବିରୋଧୀଙ୍କ ମେଣ୍ଟରେ କଂଗ୍ରେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବର୍ତ୍ତମାନ ପରିସ୍ଥିତିରେ ଏହା ଏକ ଶକ୍ତିଶାଳୀ ବିକଳ୍ପ ହେବ। ସମସ୍ତ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବାକୁ ଏବେ ପ୍ରୟାସ ଜାରି ରହିଛି। କଂଗ୍ରେସ ଏହି ମେଣ୍ଟରେ ସାମିଲ ନ ହେବା ଯାଏ ଏହା ଅସଂପୂର୍ଣ୍ଣ ରହିବ ବୋଲି ସଞ୍ଜୟ ରାଉତ କହିଛନ୍ତି। ଏପଟେ ଏନସିପି ନେତା ଅନୀଲ ଦେଶମୁଖଙ୍କ ଇଡିର ସମନ ପ୍ରସଙ୍ଗରେ ମଧ୍ୟ ସେ ବିଜେପିର ନାଁ ନନେଇ ଟାର୍ଗେଟ କରିଛନ୍ତି। ଏଭଳି ରାଜନୈତିକ ବିରୋଧୀଙ୍କୁ ଟାର୍ଗେଟ କରିବା ଏକ ନୈରାଶ୍ୟଜନକ ଘଟଣା ବୋଲି ସେ କହିଛନ୍ତି।

Related Posts