ରାଷ୍ଟ୍ରପତିଙ୍କ କାନପୁର ଗସ୍ତ ସମୟରେ ଟ୍ରାଫିକ୍ କଟକଣାରେ ଫଶି ଚାଲିଗଲା ମହିଳାଙ୍କ ଜୀବନ, କ୍ଷମା ମାଗିଲା ପୁଲିସ୍‌

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଶୁକ୍ରବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଜନ୍ମସ୍ଥାନ ଉତ୍ତର ପ୍ରଦେଶ ଗସ୍ତରେ ଥିଲେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ତେବେ ଏହି ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁଁ କଡା ଟ୍ରାଫିକ କଟକଣା କାରଣରୁ ଜଣେ ମହିଳା ମେଡିକାଲରେ ପହଞ୍ଚି ନ ପାରିବାରୁ ପ୍ରାଣ ହରାଇଛନ୍ତି। ରାଷ୍ଟ୍ରପତି କୋବିନ୍ଦ ୟୁପି ଗସ୍ତରେ ତିନି ଦିନିଆ ଗସ୍ତରେ ଅଛନ୍ତି। ଏହି ସମୟରେ ଜଣେ ମହିଳା କୋଭିଡ୍ ପରବର୍ତ୍ତୀ ଜଟିଳତା ଯୋଗୁଁ ହସ୍ପିଟାଲ ଯାଉଥିଲେ, ରାଷ୍ଟ୍ରପତିଙ୍କ ଆଗମନ ଯୋଗୁ ଟ୍ରାଫିକ କଟକଣାର ସମ୍ମୁଖୀନ ହୋଇଥିଲେ। ଟ୍ରାଫିକ କଟକଣା କୋହଳ କରାଯିବା ପରେ ହସ୍ପିଟାଲରେ ପହଞ୍ଚିବା ବେଳକୁ ମହିଳା ଜଣଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ ମହିଳା ଜଣକ ହେଉଛନ୍ତି ଭାରତୀୟ ଉଦ୍ୟୋଗ ସଂଘ (ଆଇଆଇଏ) କାନପୁର ୟୁନିଟ ସଭାପତି ବନ୍ଦନା ମିଶ୍ର ଥିଲେ। ଏହି ଏପ୍ରିଲ ମାସରେ ବନ୍ଦନା କରୋନାରୁ ସୁସ୍ଥ ହୋଇଥିଲେ। ତେବେ ଶୁକ୍ରବାର ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ପରିବାର ଲୋକ ହସ୍ପିଟାଲ ନେଇଥିଲେ। ମେଡିକାଲ ନେବା ସମୟରେ ରାଷ୍ଟ୍ରପତି ମଧ୍ୟ କାନପୁର ଆସୁଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ଯୋଗୁଁ ଉକ୍ତ ରୁଟ୍‌କୁ ପୁଲିସ୍‌ ବନ୍ଦ କରିଦେଇଥିଲା। ଏଥିପାଇଁ ଟ୍ରାଫିକ ଜାମ ହୋଇଥିଲା ଓ ଠିକ୍ ସମୟରେ ବନ୍ଦନା ହସ୍ପିଟାଲରେ ପହଞ୍ଚି ନପାରିବାରୁ ପ୍ରାଣ ହରାଇଥିଲେ। ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ୟୁପି ପୁଲିସ୍‌ ମହିଳାଙ୍କ ପରିବାର ଲୋକଙ୍କୁ କ୍ଷମା ମାଗିଛି। ରାଷ୍ଟ୍ରପତି ମଧ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଠାରୁ ନିଜର ଜନ୍ମସ୍ଥାନ ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି। ଏହି ସମୟରେ କାନପୁର ଦେହାଟ ଜିଲ୍ଲା ପାଖରେ ଥିବା ନିଜ ଗାଁକୁ ଯିବେ। ଶୁକ୍ରବାର ରାତିରେ କାନପୁରରେ ପହଞ୍ଚିଛନ୍ତି। ସୋମବାର ଓ ମଙ୍ଗଳବାର ସେ ଲକ୍ଷ୍ନୌରେ ସମୟ କାଟିବେ। ଏହି ଘଟଣାରେ କାନପୁର ପୁଲିସ୍‌ ମୁଖ୍ୟ ଅମୀମ ଅରୁଣ କ୍ଷମା ମାଗିଛନ୍ତି। ବନ୍ଦନାଙ୍କ ଅନ୍ତିମ ସଂସ୍କାରେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ କାନପୁର ପୁଲିସ୍‌ କମିଶନର ସାମିଲ ହୋଇଥିଲେ।

ଏହି ଘଟଣାରେ କାନପୁର ପୋଲିସ କମିଶନର ଅମାମୀ ମିଶ୍ର କହିଛନ୍ତି , “ବନ୍ଦନା ମିଶ୍ରଙ୍କ ଦେହାନ୍ତ ପାଇଁ କାନପୁର ପୁଲିସ ବ୍ୟକ୍ତିଗତ ଭାବେ ମୁଁ କ୍ଷମା ପ୍ରାର୍ଥନା କରୁଛି। ଭବିଷ୍ୟତ ପାଇଁ ଏହା ଏକ ବଡ଼ ଶିକ୍ଷା। ଆମେ ପ୍ରତିଜ୍ଞା କରୁଛୁ ଯେ ଆମ ଟ୍ରାଫିକ ବ୍ୟବସ୍ଥା ଏମିତି କରିବୁ ଯେ ଲୋକମାନଙ୍କୁ ବହୁତ କମ ସମୟ ପାଇଁ ଅଟକିବାକୁ ପଡ଼ିବ। ଏହାଦ୍ୱାରା ଏପରି ଘଟଣାର ଆଉ ପୁନରାବୃତ୍ତି ହେବନାହିଁ।”ଏହି ଘଟଣାରେ ରାଷ୍ଟ୍ରପତି ମଧ୍ୟ ଟ୍ବିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି , “ରାଷ୍ଟ୍ରପତି ନିଜେ ପୁଲିସ୍‌ କମିଶନର ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଠାରୁ ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି। ସେମାନଙ୍କୁ ରାଷ୍ଟ୍ରପତି ତାଙ୍କର ଶୋକ ସନ୍ଦେଶ ପରିବାର ଲୋକଙ୍କ ପାଖରେ ବ୍ୟକ୍ତିଗତ ଭାବେ ପହଞ୍ଚାଇବାକୁ କହିଥିଲେ। ଦୁଇ ଅଧିକାରୀ ଅନ୍ତିମ ସଂସ୍କାରରେ ସାମିଲ ହୋଇ ବନ୍ଦନା ମିଶ୍ରଙ୍କ ପରିବାର ଲୋକଙ୍କୁ ରାଷ୍ଟ୍ରପତି ପଠାଇଥିବା ସନ୍ଦେଶ ଦେଇଛନ୍ତି।” ଏହି ଦୁଃଖଦ ଘଟଣା ପାଇଁ ଜଣେ ସବ ଇନସପେକ୍ଟର ଓ ୩ ଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି ଏବଂ ଜଣେ ବରିଷ୍ଠ ଅଧିକାରୀଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Related Posts