
ସତ୍ୟପାଠ 22/12 ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଭିଡ଼ ସହ ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରିବାପରେ ବିଜେପି ଏହାର କଡ଼ା ଜବାବ ରଖିଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବାପରେ ଦେଶରେ ଭିଡ଼ ଏବଂ ହିଂସା ଅତ୍ୟନ୍ତ ସାଧାରଣ ହୋଇଯାଇଛି । କିନ୍ତୁ ୨୦୧୪ ପୂର୍ବରୁ ଲୋକମାନେ ଭିଡ଼ ସହ ହିଂସା କ’ଣ ଶୁଣିନଥିଲେ ବୋଲି ରାହୁଲ ଆଜି ଏକ ଟ୍ବିଟ୍ କରି କହିଛନ୍ତି। ରାହୁଲ ତାଙ୍କ ଟ୍ବିଟ୍ରେ ପ୍ରଧାନମନ୍ତ୍ରୀଙ୍କ ନାମ ନେଇନଥିଲେ ମଧ୍ୟ ସେ ମୋଦୀଙ୍କୁ ଟାର୍ଗେଟ୍ କରି ଏଭଳି ମନ୍ତବ୍ୟ ଦେଇଥିବାରୁ ଏହାର କଡ଼ା ଜବାବ ରଖିଛି ବିଜେପି। ପଶ୍ଚିମବଙ୍ଗ ବିଜେପି ପ୍ରଭାରୀ ଅମିତ ମାଲବୀୟ ରାହୁଲଙ୍କୁ ବ୍ୟକ୍ତିଗତ ସ୍ତରରେ ଟାର୍ଗେଟ୍ କରିଛନ୍ତି। ମଲଭିୟ କହିଛନ୍ତି ରାହୁଲଙ୍କ ପିତା ରାଜୀବ ହେଉଛନ୍ତି ଭିଡ଼ ସହ ହିଂସାର ଜନକ। ରାଜୀବଙ୍କୁ ନେଇ ସେ ଏକ ପୋଷ୍ଟ୍ କରିଛନ୍ତି। ଏହି ପୋଷ୍ଟରେ ଏକ ଭିଡିଓ କ୍ଲିପ୍ ଯୋଡ଼ା ହୋଇଛି। ‘ଯେତେବେଳେ ଗୋଟିଏ ବିଶାଳ ବୃକ୍ଷ ଉପୁଡ଼ିଯାଏ ସେତେବେଳେ ପୃଥିବୀ ଦୋହଲିଯାଏ ବୋଲି ରାଜୀବ ଗାନ୍ଧି କହୁଥିବା ଏହି ଭିଡିଓରେ ଶୁଣିବାକୁ ମିଳିଛି । ୧୯୮୪ ଅକ୍ଟୋବର ୩୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ରାଜୀବ ଗାନ୍ଧୀ ଏହା କହିଥିଲେ। ଏହାପରେ ବେଶବ୍ୟାପୀ ଦଙ୍ଗା ହୋଇଥିଲା। ମାଲବୀୟ ଅନ୍ୟ ଏକ ଟ୍ବିଟ୍ କରି କହିଛନ୍ତି ଦେଶରେ ଅତୀତରେ ହୋଇଥିବା ଭିଡ଼ ସହ ହିଂସା କଂଗ୍ରେସ ଶାସିତ ରାଜ୍ୟରେ ବେଶୀ ହୋଇଛି।