ଅନୁଗୁଳ : ରକ୍ଷକ ସାଜିଛି ଭକ୍ଷକ। ଏଠାରେ ପୋଲିସ ନିଜେ ଲାଞ୍ଚ ନେଉଥିବାବେଳେ ଲୋକେ କାହା ପାଖକୁ ଯିବେ। ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଏଭଳି ଜଣେ ମହିଳା ପୋଲିସ। ଅନୁଗୋଳ ଜରପଡା ଥାନାରେ କାର୍ଯ୍ୟରତ ମହିଳା ଏଏସଆଇ ସୀତା ନାୟକ ଏକ ମାମଲାର ଚୂଡାନ୍ତ ରିପୋର୍ଟ ଦେବାପାଇଁ ୮୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ବାରମ୍ବାର ଟଙ୍କା ଦେବାକୁ ଚାପ ପକାଇବା ପରେ ଅଭିଯୋଗକାରୀ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ଅଧିକାରୀମାନେ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଥିଲେ । ପୂର୍ବ ଯୋଜନା ଅନୁସାରେ ଅଭିଯୋଗକାରୀ ଏଏସଆଇ ସୀତା ନାଏକଙ୍କୁ ୮ ହଜାର ଟଙ୍କା ଦେଉଥିବା ବେଳେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ । ଏହାପରେ ଏଏସଆଇ ସୀତା ନାଏକଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି । ସେହିପରି ଅଭିଯୁକ୍ତ ଏଏସଆଇଙ୍କ ସମ୍ପତ୍ତି ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
