ମାନବୀୟ ଲୀଳା କରୁଛନ୍ତି ନିଳାଦ୍ରିବିହାରୀ୤ ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ କରି ଜ୍ବରରେ କମ୍ପୁଥିଲେ୤ ଦୀର୍ଘ ୧୦ ଦିନ ଜ୍ବରରେ  ପୀଡିତ ହେବାପରେ ଦଇତାପତି ସେବକ, ପତି ମହାପାତ୍ରଙ୍କ ସେବା ଶୁଶ୍ରୁଷାରେ ସୁସ୍ଥତା ଅନୁଭବକରି ଚକାବିଜେ କରିଥିଲେ୤ ଆଷାଢ଼ କୃଷ୍ଣ ଦ୍ୱାଦଶୀ ତିଥିରେ  ମହାପ୍ରଭୁଙ୍କର ଦେହରେ ଓଷୁଅ ଲାଗି  ହେବାପରେ ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି୤ ଏହି ଓଷୁଅ ରାଶି ତେଲରେ ଝୁଣା, କର୍ପୂର, କସ୍ତୁରୀ ଓ କେତେକ ସୁଗନ୍ଧିତ ଦ୍ରବ୍ୟ ମିଶାଯାଇ  ପ୍ରସ୍ତୁତି ହୋଇଥିଲା । ଶ୍ରୀଅଙ୍ଗରୁ ଯେଉଁ ଔଷଧ, କରାଳ, ଚନ୍ଦନ ଓ ପାଟଡୋର ଝରିପଡ଼ିବା ପରେ  ତାହାକୁ ରୂପାଥାଳିରେ ସଂଗ୍ରହ କରାଯାଇ ତାକୁନେଇ ଦଇତାପତି ଓ ପତିମହାପାତ୍ର ସେବକମାନେ ଶ୍ରୀନହରକୁ ଯାଇ ଜଗନ୍ନାଥଙ୍କ ସୁସ୍ଥ ହେବା ଖବର ମହାପ୍ରଭୁଙ୍କ ଆଦ୍ୟସେବକ ରାଜାଙ୍କୁ  ଦେଇଛନ୍ତି୤ ଆଷାଢ଼ କୃଷ୍ଣ ତ୍ରୟୋଦଶୀରେ ଶ୍ରୀ ଜୀଉମାନଙ୍କର ଘଣା ଲାଗି ଓ ପାଟ ଡୋରୀ ଖଡ଼ି ପ୍ରସାଦ ଓ ଖଳି ପ୍ରସାଦ ଲାଗି  ହୋଇଛି। ଗହମ ଗୁଣ୍ଡ କନାରେ ଛଣାହୋଇ ଖଳି ପ୍ରସାଦ ପ୍ରସ୍ତୁତ କରାଯିବ। ଏବଂ ଶଙ୍ଖକୁ ପୋଡ଼ିବା ପରେ ଯେଉଁ ଭସ୍ମ ବାହାରେ ତାହାକୁ ନେଇ ଖଳିପ୍ରସାଦ ପ୍ରସ୍ତୁତ ହୋଇଥାଏ୤ ତାହା ପ୍ରଭୁଙ୍କୁ ଲାଗିକରାଯିବା ପରେ  ଆଷାଢ଼ କୃଷ୍ଣ ଚତୁର୍ଦ୍ଦଶୀରେ  ଦତ୍ତ ମହାପାତ୍ର ସେବକମାନେ ଗାଢ଼ ହେଙ୍ଗୁଳ, ଶୁଦ୍ଧ ଶଙ୍ଖ, ଅଅଁଳା, ତମ୍ବା, କଜ୍ୱଳ, କୁଙ୍କୁମ, ହରିତାଳ, ଫୁଲ ଖଡ଼ି ଗୁଣ୍ଡ କରି ରାଶି ତେଲ ମିଶାଇ ଏକ ରଙ୍ଗ ପ୍ରସ୍ତୁତ କର ବନକ ଲାଗି କରିବାର ବିଧି ରହିଛି୤ ଜୀଉମାନଙ୍କର ରୂପ କାମ କରାଯିବ। ପରେ  ନୂତନ କନା ଓ ତୁଳାରେ ଯନ୍ତ୍ର ଆକାରରେ ପ୍ରସ୍ତୁତ ହୋଇଥିବା ଏବଂ ଶାସ୍ତ୍ରୀୟ ବିଧିରେ ତଥା ଶାବର ତନ୍ତ୍ର ପରମ୍ପରାରେ ସଂସ୍କାରିତ ହୋଇଥିବା ଏକ କୋମଳ ଚକା ସଦୃଶ ଗୋଲ ଆସନକୁ ବିଗ୍ରହଙ୍କୁ ଲାଗି କରାଯାଏ। ଏହାକୁ ଚକା ଅସରପ ନୀତି କୁହାଯାଏ ଏହା ହିଁ ଅଣସରରର ଶେଷ ଦିବସ।