ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ବଡ଼ ଘୋଷଣା । ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ୩୩ଟି ଆସନରେ ପ୍ରାର୍ଥୀ ଘୋଷଣା କରିବେ ଚନ୍ଦ୍ରଶେଖର ଆଜାଦ । ସେପଟେ ଚନ୍ଦ୍ରଶେଖର ଆଜାଦ ଏସପିଙ୍କ ସହ ମେଣ୍ଟ ନକରିବା ପରେ ନିଜେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କର ଆଜାଦ ସମାଜ ପାର୍ଟି ୩୩ ଟି ଆସନରେ ପ୍ରାର୍ଥୀ ଘୋଷଣା କରିବାର ନିଷ୍ପତ୍ତି ନେଇଛି । ଅନ୍ୟପଟେ ଚନ୍ଦ୍ରଶେଖର ଆଜାଦ ଏନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ମୁଁ ସରକାରଙ୍କୁ ଭୟ କରେ ନାହିଁ । ମୋର ଭୟ ଥିଲା ଯେ ବିରୋଧୀ ଦଳର ବିଭାଜନ ହେତୁ ବିଜେପି ଫେରି ଆସିଲେ ଭଲ ନୁହେଁ । ସମସ୍ତେ ଶକ୍ତି ବିଷୟରେ ଚିନ୍ତା କରନ୍ତି । କିନ୍ତୁ ଆମର ସଂଗ୍ରାମ ଶକ୍ତି ପାଇଁ ନୁହେଁ ।
ଗତ ଦୁଇମାସ ମଧ୍ୟରେ ଆମକୁ ଅନେକ ପ୍ରତାରଣା କରାଯାଇଛି । ମୋର ଏହି ନିଷ୍ପତ୍ତିରେ ଅନେକ ଜଣ ହସିବେ ଏବଂ କହିବେ ଚନ୍ଦ୍ରଶେଖର ଆଜାଦ ପାଗଳ ହୋଇଯାଇଛି । କିନ୍ତୁ ଏହା ମୋତେ କୌଣସି ଫରକ ପକାଇବ ନାହିଁ । ମୁଁ ଜଣେ ଯୁବକ ଏବଂ ମୁଁ କେବଳ ଅସୁବିଧା ସହ ଲଢ଼ିବାକୁ ଶିଖିଛି । ମୁଁ ପାଞ୍ଚ ବର୍ଷ ମଧ୍ୟରେ ବହୁତ କିଛି ଦେଖିଛି ଏବଂ ହରାଇଛି ବୋଲି ଆଜାଦ ସମାଜ ପାର୍ଟିର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଗଣମଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । କିଛି ଦିନ ପୂର୍ବରୁ ଚନ୍ଦ୍ରଶେଖର ଆଜଦ ସମାଜବାଦୀ ପାର୍ଟି ସହ ମିଶି ମେଣ୍ଟ କରିବେ ବୋଲି କଳ୍ପନାଜଳ୍ପନା ଚାଲିଥିଲା ।
ହେଲେ ଏସପି ସହ ମିଶିବା ନେଇ ଚନ୍ଦ୍ରଶେଖର ଆଜାଦ ମନାକରିଦେଇଥିଲେ । ଏହା ପରେ ନିଜେ ଲଢ଼ିବାର କଥା ସାମ୍ନାକୁ ଆସିଛି । ଏହା ଉତ୍ତରପ୍ରଦେଶ ରାଜନୀତି ଉପରେ ବେଶ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଉଛି । କାହିଁକିନା ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ବର୍ତ୍ତମାନ କଡ଼ା ଟକ୍କର ଚାଲିଛି । ନେତାମାନେ ଗୋଟିଏ ଦଳକୁ ଛାଡ଼ି ଅନ୍ୟ ଦଳକୁ ଯାଉଛନ୍ତି । ସେପଟେ ଏହାର ଲାଭ ଆଜାଦଙ୍କ ପ୍ରାର୍ଥୀ ଉଠାଇପାରନ୍ତି ବୋଲି ରାଜନୈତିକ ମାହୋଲରେ ଆକଳନ ଚାଲିଛି ।





