ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସର ବରିଷ୍ଠ ନେତା ତଥା ଅସନ୍ତୁଷ୍ଟ ଜି-୨୩ର ସଦସ୍ୟ ମନୀଷ ତିୱାରୀ ଦଳର ଅଧ୍ୟକ୍ଷ ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ମନୀଷ କହିଛନ୍ତି ଯେ, ଭୋଟର ତାଲିକା ବିନା କିପରି ନିର୍ବାଚନ ନିରପେକ୍ଷ ହେବ? ନିରପେକ୍ଷ ନିର୍ବାଚନ ପାଇଁ ଦଳର ଭୋଟରଙ୍କ ନାମ ଏବଂ ଠିକଣା ପ୍ରକାଶ କରାଯାଉ ବୋଲି ସେ ଦାବି କରିଛନ୍ତି। ଏନେଇ ସେ କଂଗ୍ରେସର ସଂଗଠନ ନିର୍ବାଚନ ଦାୟିତ୍ୱରେ ଥିବା ମଧୁସୂଦନ ମିସ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ମନୀଷ ଜାଣିବାକୁ ଚାହିଁଛନ୍ତି ଯେ ଦଳର ଭୋଟର ତାଲିକା ସର୍ବସାଧାରଣରେ ଉପଲବ୍ଧ ନ ହେଲେ କିପରି ନିରପେକ୍ଷ ଏବଂ ମୁକ୍ତ ନିର୍ବାଚନ ହେବ? ମନୀଷ ମିସ୍ତ୍ରୀଙ୍କୁ କହିଛନ୍ତି ଯେ ଭୋଟର ତାଲିକାକୁ ନିଶ୍ଚିତ ଭାବରେ କଂଗ୍ରେସ ୱେବସାଇଟରେ ପ୍ରକାଶିତ କରାଯାଉ। ଏକ ନିରପେକ୍ଷ ନିର୍ବାଚନର ପ୍ରଥମ ସର୍ତ୍ତ ହେଉଛି ଭୋଟରଙ୍କ ନାମ ଏବଂ ଠିକଣା ସର୍ବସାଧାରଣରେ ପ୍ରକାଶ କରାଯିବା ଉଚିତ ବୋଲି ମନୀଷ କହିଛନ୍ତି।
ଟୁଇଟରରେ କଂଗ୍ରେସର ସଂଗଠନ ନିର୍ବାଚନ ପ୍ରକ୍ରିୟା ଉପରେ ତିୱାରୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ, ଭୋଟର ତାଲିକା ସାର୍ବଜନୀନ କରାଯାଇ ନାହିଁ। କିନ୍ତୁ ଏନେଇ ମିସ୍ତ୍ରୀ କହିଛନ୍ତି, ଯଦି ଆମ ଦଳର କୌଣସି ସଦସ୍ୟ ଏହି ତାଲିକାକୁ ଯାଞ୍ଚ କରିବାକୁ ଚାହାଁନ୍ତି, ତେବେ ସେ ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟକୁ ଯାଇ ଯାଞ୍ଚ କରିପାରିବେ। ପ୍ରାର୍ଥୀମାନଙ୍କ ନାମାଙ୍କନପତ୍ର ଦାଖଲ ପରେ ନିଶ୍ଚିତ ଭାବରେ ଏହି ସୁଯୋଗ ସମସ୍ତଙ୍କୁ ଦିଆଯିବ।





