ଭୁବନେଶ୍ବର ୫୩ ନଂ ୱାର୍ଡର ୫୪୪ ନମ୍ବର ବୁଥରେ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆଜି ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ଏନେଇ ସକାଳ 8 ଟାରୁ ସମସ୍ତ ମତଦାନ କେନ୍ଦ୍ର ବାହାରେ ଲାଗିଛି ଭୋଟର ଲମ୍ବା ଧାଡ଼ି। ତେବେ ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି । ଭୋଟ ଦେଇ ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ବର ୫୩ ନଂ ୱାର୍ଡର ୫୪୪ ନମ୍ବର ବୁଥରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ୱାର୍ଡରେ ବିଜେଡି ପକ୍ଷରୁ ମହାମାୟା ସ୍ବାଇଁ କର୍ପୋରେଟର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ବିଜେପି ପକ୍ଷରୁ ନଳିନୀ ପ୍ରଭା ଖଟେଇ ଏବଂ କଂଗ୍ରେସ ପକ୍ଷରୁ ନିବାସୀ ଦେଈ ନିର୍ବାଚନ ଲଢୁଛନ୍ତି । ନବୀନ ନିବାସରୁ ଚାଲି ଚାଲି ବୁଥ୍‌ରେ ଯାଇ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ, ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ହେବ ଭୋଟ୍ ଗ୍ରହଣ ଚାଲିଛି । କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବୀ ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ହେବ । ଚଳିତ ନିର୍ବାଚନ ମଇଦାନରେ ୬ହଜାର ୪୧୧ ଜଣ ପ୍ରାର୍ଥୀ ଥିବା ବେଳେ ମତଦାତା ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ।

ଅନ୍ୟପକ୍ଷରେ ରାଜ୍ୟ ପୁଲିସ ପକ୍ଷରୁ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ଅବାଧ ନିର୍ବାଚନ ପାଇଁ ୧୦୫ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୧୧୦ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ କରାଯାଇଛି। ଏହି ୩ ମହାନଗର ନିଗମର ମୋଟ ୧୬୮ଟି ୱାର୍ଡର ୧୪୦୭ଟି ବୁଥରେ ଭୋଟଗ୍ରହଣ ହେବ । ସେହିପରି ୧୦୬ଟି ପୌରାଂଚଳ ଓ ଏନଏଏସିରେ ୧୦୦ ପ୍ଲାଟୁନ୍ ଫୋର୍ସ ଓ ୩୪୦ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି । ଏହି ୧୦୬ଟି ସହରାଂଚଳରେ ମୋଟ ୧୭୩୧ଟି ୱାର୍ଡରେ ୩୦୬୮ଟି ବୁଥ୍ ପ୍ରସ୍ତୁତ ହୋଇଛି । ତେବେ ଯେଉଁ ୬୪ଟି ୱାର୍ଡରେ ଭୋଟଗ୍ରହଣ ହେବନି ତାକୁ ମଧ୍ୟ ରାଜ୍ୟ ପୁଲିସ ନିଜ ତାଲିକାରେ ସାମିଲ କରି ସେଠାରେ ଭୋଟ ଗ୍ରହଣ ପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରେସ୍ ରିଲିଜ୍ ଜାରି କରିଛି।

Related Posts