ଆନ୍ଧ୍ରରେ ହେବ କ୍ଲାସ୍ ୧୦ ଓ ୧୨ ବୋର୍ଡ଼ ପରୀକ୍ଷା : ଜଗନ୍ ରେଡ୍ଡୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ବୁଧବାର ଘୋଷଣା କରିଛନ୍ତି ଯେ, କରୋନାର ଦ୍ବିତୀୟ ଲହର ମଧ୍ୟରେ ରାଜ୍ୟରେ ଚଳିତ ବର୍ଷ ୧୦ ଏବଂ ୧୨ ବୋର୍ଡ ପରୀକ୍ଷା ହେବ। ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷା ସ୍ଥଗିତ କିମ୍ବା ବାତିଲ କରିବାକୁ ଅନେକ ରାଜ୍ୟ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶର ସିଏମ୍ ସ୍ପଷ୍ଟ କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବୋର୍ଡ ପରୀକ୍ଷା କରାଯିବ । “ପରୀକ୍ଷା ବାତିଲ କରାଯାଇଥିବା ରାଜ୍ୟଗୁଡିକ ଦ୍ୱାରା କେବଳ ପାସ୍ ସାର୍ଟିଫିକେଟ୍ ଦିଆଯିବ, କିନ୍ତୁ କେବଳ ପାସ୍ ସାର୍ଟିଫିକେଟ୍ ଆଧାରରେ ଆମର ଛାତ୍ରମାନେ କିପରି ଭଲ ଅନୁଷ୍ଠାନରେ ଆଡମିଶନ ପାଇବେ ” ବୋଲି ସେ ପ୍ରଶ୍ନ କରିଛନ୍ତି। ” ଛାତ୍ରମାନଙ୍କ ପାଇଁ ଏସଏସସି ଏବଂ ଇଣ୍ଟର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନଙ୍କ ସାର୍ଟିଫିକେଟ୍ ଉପରେ ସେମାନଙ୍କର ଭବିଷ୍ୟତ ନିର୍ଭର କରେ। ରାଜ୍ୟ ସରକାର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବେ ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ବୋର୍ଡ ପରୀକ୍ଷା କରିବେ କି ନାହିଁ ତାହା ସ୍ଥିର କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦାୟିତ୍ବ ଦେଇଛନ୍ତି ବୋଲି ସିଏମ୍ ରେଡ୍ଡୀ କହିଛନ୍ତି । କଡା କଟକଣା ମଧ୍ୟରେ କେତେକ ରାଜ୍ୟରେ ପରୀକ୍ଷା ଚାଲିଛି। ତେବେ ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ କରିବାକୁ ବିରୋଧୀ ଟିଡିପି ଦ୍ବାରା ଚାଲିଥିବା କ୍ୟାମ୍ପେନ୍ କୁ ମୁଖ୍ୟମନ୍ତ୍ରୀ ନିନ୍ଦା କରିଛନ୍ତି । ସୂଚନାଯୋଗ୍ୟ କରୋନାର ଭୟାବହତାକୁ ନଜରରେ ରଖି ଅନେକ ରାଜ୍ୟ ୧୦ ଓ ୧୨ ବୋର୍ଡ଼ ପରୀକ୍ଷା ବାତିଲ କିମ୍ବା ସ୍ଥଗିତ ଘୋଷଣା କରିଛନ୍ତି।

Related Posts