କଳା କପଡା ପିନ୍ଧି ରାମ ଭକ୍ତଙ୍କୁ ଅପମାନିତ କରିଥିବାରୁ ଦେଶ ବାସୀଙ୍କୁ କ୍ଷମା ମାଗୁ କଂଗ୍ରେସ : ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସର କଳା କପଡ଼ା ପିନ୍ଧି ବିକ୍ଷୋପ ପ୍ରଦର୍ଶନ କରିବା ଉପରେ ମୁହଁ ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଗୁରୁବାର କହିଛନ୍ତି ଯେ, ଅଗଷ୍ଟ ୫ ତାରିଖ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ଦିନ । କାରଣ ଏହି ଦିନରେ ଶ୍ରୀରାମ ଜନ୍ମଭୂମିର ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଅନ୍ୟ ଦିନଗୁଡ଼ିକରେ ପ୍ରଦର୍ଶନ ସମୟରେ ସାଧାରଣ କପଡ଼ା ପିନ୍ଧା ଯାଉଥିବା ବେଳେ ଏହିଦିନ କଂଗ୍ରେସ କର୍ମୀମାନେ କାହିଁକି କଳା ରଙ୍ଗର କପଡ଼ା ପିନ୍ଧି ପ୍ରଦର୍ଶନ କରିଛନ୍ତି? ଏହା ସମସ୍ତ ରାମଭକ୍ତଙ୍କ ପାଇଁ ଅପମାନ ଅଟେ ଏବଂ କଂଗ୍ରେସ ଏଥି ପାଇଁ ଦେଶବାସୀଙ୍କୁ ଭୁଲ ମାଗିବା ଦରକାର ।

ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, ଆଜି ଅଯୋଧ୍ୟା ଦିବସ । ଶହ ଶହ ବର୍ଷ ହେଲା ଭାରତୀୟ ଜନମାନସକୁ ଏହି ଦିନକୁ ଅପେକ୍ଷା କରିବାକୁ ପଡ଼ିଥିଲା । ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣର କାର୍ଯ୍ୟ ଶୁଭାରମ୍ଭର ଦିନ ଭାରତର ଗଣତନ୍ତ୍ରକୁ ସମ୍ମାନ ଦେଉଥିବା ଦିବସ । ଭାରତର ନ୍ୟାୟପାଳିକାର ବଳକୁ ବିଶ୍ୱ ସମ୍ମୁଖରେ ଉଜାଗର କରୁଥିବା ଦିବସ । ସେହିଭଳି ଭାରତର ଉଚ୍ଚତମ ନ୍ୟାୟାଳୟର ସମ୍ମାନର ଦିବସ । ଶହ ଶହ ବର୍ଷ ହେଲା ଭାରତୀୟମାନେ ଏହି ଦିବସକୁ ଅପେକ୍ଷା କରିଥିଲେ । ସମସ୍ତଙ୍କ ମନରେ ଏକ ଭାବନା ଥିଲା ଯେ, ଭାରତର ଆସ୍ଥାର ସମ୍ମାନ ହେଉ । ମୁଖ୍ୟମନ୍ତ୍ରୀ ଯୋଗୀ ଆହୁରି କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ରାୟ ପରେ ୨୦୨୦ ଅଗଷ୍ଟ ୫ ତାରିଖରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମଭୂମିରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା । ଏହି ଦିବସରେ ଭାରତର ଆସ୍ଥାକୁ ଅପମାନିତ କରିଥିବା କଂଗ୍ରେସର ଆଚରଣ ଅତ୍ୟନ୍ତ ନିନ୍ଦନୀୟ ।

Related Posts