
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କୁଅଁରମାଲରେ । ସୂଚନା ମୁତାବକ ମାତ୍ର ୧୦୦ ଟଙ୍କା ପାଇଁ ଦୁର୍ବୁତ୍ତ ତାଙ୍କ ଜୀବନ ନେଇଯାଇଥିବା କୁହାଯାଉଛି। ମୃତ ପ୍ରଫେସରଙ୍କ ନାମ ହେଉଛି ଡକ୍ଟର ଧ୍ରୁବରଜ ନାଏକ । ସୂଚନା ମୁତାବକ ଆଜି ଦିନ ୧୧ ଟା ୪୦ରେ ଧ୍ରୁବରାଜ ନିଜ ବାସଭବନରେ ଥିବା ବେଳେ ଜଣେ ମଦୁଆ ଘରେ ପଶି ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ କହିଛନ୍ତି ଯେ , ଅଭିଯୁକ୍ତ ଜଣକ ହଠାତ୍ ତାଙ୍କ ବାସଭବନ ଭିତରକୁ ପଶି ଆସିଥିଲେ। ସେହି ସମୟରେ ଫ୍ରଫେସର ଧ୍ରୁବରାଜ ନାୟକ ଘରେ ନଥିଲେ। କେବଳ ଆମ ବୋହୂ ଓ ଝିଆରି ଘରେ ଥିଲେ ବୋଲି ତାଙ୍କ ଭାଇ କହିଛନ୍ତି । ମଦ ପିଇଥିବା ସେହି ବ୍ୟକ୍ତି ଜଣକ ବେଡ୍ ରୁମ୍କୁ ପଶିଯାଇ ଶହେ ଟଙ୍କା ମାଗିଥିଲା। ଟଙ୍କା ନାହିଁ ପରେ ଆସିବୁ ବୋଲି କହିବା ଭିତରେ ଫ୍ରଫେସର ଧ୍ରୁବରାଜ ନାୟକ ସେଠାରେ ପହଞ୍ଚିଥିଲେ। ଏବଂ ଟାଙ୍ଗିଆ ଧରି କାହିଁକି ଘର ଭିତରକୁ ଆସିଛୁ ବୋଲି ପଚାରି ଥିଲେ। ଏହା ପରେ ଅଭିଯୁକ୍ତ ଜଣକ ତାଙ୍କୁ ଟାଙ୍ଗିରେ ଆକ୍ରମଣ କରିଥିଲା। ଗୁରୁତର ଅବସ୍ଥାରେ ଶ୍ରୀ ନାୟକଙ୍କୁ ଝାରସୁଗୁଡ଼ା ସ୍ଥିତ ଏକ ନର୍ସିଂହୋମ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ ଅଭିଯୁକ୍ତକୁ ଲଇକେରା ପୁଲିସ୍ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତ ସେହି ଗାଁର ହୋଇଥିବା ନେଇ କୁହାଯାଉଛି।