ଓଡ଼ିଶା କଂଗ୍ରେସର ଦମ୍ଭୋକ୍ତି, ‘ବଦଳିବ ମହାନଦୀ ଭାଗ୍ୟ’

ମହାନଦୀ ପାଣିକୁ ଅଟକାଇଥିଲେ ଛତିଶଗଡ଼ର ବିଜେପି ସରକାର । ତେଣୁ ମରିଯାଇଥିଲା ଓଡ଼ିଶାର ଜୀବନରେଖା । କିନ୍ତୁ ଛତିଶଗଡ଼ରେ ସରକାର ପରିବର୍ତ୍ତନ ସହ ମହାନଦୀର ଭାଗ୍ୟରେ ବି ପରିବର୍ତ୍ତନର ସମ୍ଭାବନା ଦେଖାଦେଇଛି । ଛତିଶଗଡ଼ ସରକାର ସହ ମହାନଦୀ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଦମ୍ଭୋକ୍ତି ଦେଖାଇଛି ଓଡ଼ିଶା କଂଗ୍ରେସ ।

ଛତିଶଗଡ଼ରେ ବଦଳିଛି ସରକାର । ବିଜେପିକୁ ଚିତ୍‌ପଟାଙ୍ଗ କରି କ୍ଷମତାକୁ ଆସିଛି କଂଗ୍ରେସ । ଏହା ସହିତ ମହାନଦୀ ବିବାଦରେ ମୋଡ଼ ବଦଳିବା ସମ୍ଭାବନା ଦେଖାଦେଇଛି । ଛତିଶଗଡ଼ ସରକାର ସହ ମହାନଦୀ ପ୍ରସଙ୍ଗରେ ଆଲୋଚନା କରାଯିବ ବୋଲି ପୁଣିଥରେ ଦୋହରାଇଛି ରାଜ୍ୟ କଂଗ୍ରେସ । ଏହାଦ୍ବାରା ଓଡ଼ିଶାକୁ ଆଶ୍ବସ୍ତି ମିଳିବ ବୋଲି କହୁଛି କଂଗ୍ରେସ ।

ଉପର ମୁଣ୍ଡରେ ବ୍ୟାରେଜ କରି ମହାନଦୀକୁ ଶୁଖିଲା କରିଦେଇଛନ୍ତି ଛତିଶଗଡ଼ ସରକାର । ତେଣୁ ବିବାଦର ସମାଧାନ ହେଲେ ପାନୀୟ ଜଳ ଓ କୃଷି ପାଇଁ ଜଳ ସେଚନ ଅସୁବିଧା ଦୂର ହେବ । ଓଡ଼ିଶାର ୧୬ଟି ଜିଲ୍ଲାର ବାସିନ୍ଦା ଉପକୃତ ହେବେ । ତେଣୁ ମହାନଦୀ କଥାବାର୍ତ୍ତା ପାଇଁ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିବା ବେଳେ ଗୁରୁବାର ପୁଣି ସେହି କଥା ଦୋହରାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

କିନ୍ତୁ ବିଜେପି କହିଛି କେବଳ ଏକ ପ୍ରସଙ୍ଗ ଭାବେ ଧରି ରଖିବାକୁ କଂଗ୍ରେସ ଏଭଳି ପ୍ରତିକ୍ରିୟା ଦେଉଛି । କଂଗ୍ରେସ ସରକାର ଥିବା ବେଳେ କାହିଁକି ସମସ୍ୟାର ସମାଧାନ କଲେନି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ ।

Related Posts