ଆଡିଲେଡ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ଚେତେଶ୍ବର ପୂଜାରା । ପୂଜାରାଙ୍କ ଲଢ଼ୁଆ ୧୨୩ ରନ୍ ବଳରେ ଭାରତ ପ୍ରଥମ ଦିନ ଖେଳ ସୁଦ୍ଧା ପ୍ରଥମ ଇନିଂସରେ ୯ ୱିକେଟ ହରାଇ କରିଛି ୨୫୦ ରନ୍ । ମହମ୍ମଦ ସାମି ୬ ରନ୍ କରି ଅପରାଜିତ ଥିବା ବେଳେ ଯଶପ୍ରୀତ ବୁମ୍ରା ବ୍ୟାଟିଂ କରିବାକୁ ଆସିନାହାନ୍ତି ।
ଟସ୍ ଜିତି ବ୍ୟାଟିଂ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆର ଟପ୍ ଅର୍ଡର ଭୁଶୁଡ଼ି ପଡ଼ିଥିଲା । ମାତ୍ର ୪୧ ରନ୍ରେ ଦଳ ହରାଇ ଥିଲା ୪ଟି ୱିକେଟ୍ । ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା ଦଳ ମାତ୍ର 56 ରନ୍ ସଂଗ୍ରହ କରିଥିବାବେଳେ ଦଳର ଟପ୍ ଅର୍ଡର ପ୍ୟାଭିଲିୟନ୍ ଫେରି ସାରିଥିଲା । ମ୍ୟାଚ୍ର ଦ୍ବିତୀୟ ଓଭରରେ କେ.ଏଲ୍. ରାହୁଲ ମାତ୍ର ୨ ରନ୍ କରି ଆଉଟ ହୋଇଥିବା ବେଳେ ଷଷ୍ଠ ଓଭରରେ ୧୧ ରନ୍ କରି ଆଉଟ ହୋଇଥିଲେ ମୁରଲୀ ବିଜୟ ।
ଏହାପରେ ମାତ୍ର ୩ ରନ୍ କରି ଅଧିନାୟକ କୋହଲି ଓ ୧୩ ରନ୍ କରି ରାହାଣେ ଆଉଟ ହୋଇଥିଲେ । ତେବେ ରୋହିତ ଶର୍ମା ଓ ପୂଜାରା ପଞ୍ଚମ ୱିକେଟରେ ୪୫ ରନ୍ କରି ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲେ । ରୋହିତ ୩୭ ରନ୍ କରି ଆଉଟ ହେବା ପରେ, ରିଷଭ ପନ୍ତ ୨୫, ଆର୍ ଅଶ୍ବିନ ୨୫ ରନ୍ କରି ସ୍ଥିତି ସମ୍ଭାଳି ଥିଲେ ।
ଗୋଟିଏ ପଟେ ୱିକେଟ୍ ପଡ଼ି ଚାଲିଥିବା ବେଳେ ଅନ୍ୟପଟେ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଥିଲେ ଚେତେଶ୍ବର ପୁଜାରା । ନିଜର ୧୬ ତମ ଟେଷ୍ଟ ଶତକ ହାସଲ କରିଥିଲେ । ତେବେ ସେ ଦୁର୍ଭାଗ୍ୟବଶତଃ ରନ୍ ଆଉଟ ହୋଇଥିଲେ ।