
ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀକୁ ମିଳିଛି ବଡ ସଫଳତା | ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲୁଚି ରହିଥିବା ୨ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି ସୁରକ୍ଷାବାହିନୀ | ୧୦ ଘଣ୍ଟାର ଏନ୍କାଉଣ୍ଟର ଭିତରେ ସୁରକ୍ଷା ବାହିନୀକୁ ଏହି ସଫଳତା ମିଳିଛି | ନହିତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛି ପାକିସ୍ତାନୀ ନାଗରିକ । ନିହତ ହୋଇଥିବା ଆତଙ୍କବାଦୀମାନେ ‘ଲଶ୍କର-ଏ-ତଇବା’ର ସଦସ୍ୟ ।
କୁଲଗାମରେ ବୁନା ଦେୱସର ଠାରୁ ୧.୫କିମି ଦୂରରେ ଚେୟନ ଅଞ୍ଚଳରେ ରବିବାର ଏନକାଉଣ୍ଟର ହୋଇଥିଲା । ସୁରକ୍ଷାବାହିନୀର ଯବାନମାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଯେ, କିଛି ଆତଙ୍କବାଦୀମାନେ ଚଳପ୍ରଚଳ କରୁଛନ୍ତି । ଏହି ସୂଚନା ଆଧାରରେ ଭାରତୀୟ ସେନାର ଏକ ଟିମ୍ ସ୍ଥାନୀୟ ପୋଲିସ ସହିତ ଅପରେଶନ ଆରମ୍ଭ କରିଥିଲା । ଏଠାରେ ଏକ ଘର ଭିତରେ ଆତଙ୍କବାଦୀମାନେ ଲୁଚି ଥିବା ସନ୍ଦେହ ହୋଇଥିଲା । ସୁରକ୍ଷାବାହିନୀର ଯବାନମାନେ ଯେତେବେଳେ ଚାରିଆଡୁ ଘେରିଲେ, ଆତଙ୍କବାଦୀମାନେ ଅନ୍ୟତ୍ର ଖସିଯାଇପାରି ନ ଥିଲେ । ଏନକାଉଣ୍ଟର ସକାଳ ୩ଟାରୁ ଆରମ୍ଭ ହୋଇଥିଲା ଓ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଜାରି ରହିଥିଲା ।
ଆତଙ୍କବାଦୀମାନେ ସୁରକ୍ଷାବାହିନୀର ଯବାନମାନଙ୍କ ଉପରକୁ ହାତ ବୋମା ଫିଙ୍ଗିଥିଲେ । ଏଥରେ ଜଣେ ଯବାନ ଆହତ ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସୁରକ୍ଷାବାହିନୀର ଯବାନମାନେ ସର୍ବପ୍ରଥମେ ଆଖପାଖର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
ନିହତ ୨ ଆତଙ୍କବାଦୀ ଙ୍କ ନିକଟରୁ ବିପୁଳ ପରିମାଣର ଗୁଳି-ବନ୍ଧୁକ ଜବତ ହୋଇଛି |