କାହା ପାଇଁ କଳାପାହାଡ କିନ୍ତୁ ବିଜେଡି ପାଇଁ ଇନ୍ଦ୍ରଦ୍ୟୁମ୍ନ!

ଗରଳ କାଟିବା ପାଇଁ ବିରଳ ପୋଜ୍

ସତ୍ୟପାଠ ବ୍ୟୁରୋ : ଗତକାଲି ଠାରୁ ସୋସିଆଲ ମିଡିଆରେ ଏଭଳି ଏକ ବିରଳ ଫଟୋ ଘୁରି ବୁଲୁଛି ଯାହା ପ୍ରକୃତରେ ସମସ୍ତଙ୍କ ପାଇଁ ବିରଳ । ଯାହାର ଫଟୋ ଗୁଗୁଲରେ ବି ଖୋଜିଲେ ସହଜରେ ମିଳେନା, ଯଦି ତାଙ୍କ ଇଛାରେ ଫଟୋଟି ଉଠେ ଏବଂ ତାହା ଅତି ସତର୍କତାର ସହ ସୋସିଆଲ ମିଡିଆରେ ପୋଷ୍ଟ ହୁଏ ତାହାକୁ ସଂଯୋଗ ବଦଳରେ ବିରଳ ହିଁ କୁହାଯାଇପାରେ । ଆମେ କହୁଛୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ଫଟୋ କଥା । ଯାହା ଗତକାଲି ଦିନ ୩ଟାରୁ ସୋସିଆଲ ମିଡିଆରେ ଅସଂଖ୍ୟ ଆଇଡିରୁ ପୋଷ୍ଟ, ଓ ସେୟାର ହେଉଛି ।

ଏହାକୁ ବିରଳ ଫଟୋ କହିବାର ଉଦ୍ଦେଶ୍ୟ ହେଉଛି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କର ସାଧାରଣତଃ ଫଟୋ ମିଳି ନଥାଏ, ଏକଥା ସମସ୍ତେ ଜାଣନ୍ତି । ତାଛଡା ଏ ଫଟୋ କୌଣସି ପବ୍ଲିକ ମିଟିଂ ର ମଧ୍ୟ ନୁହେଁ । ଏ ଫଟୋ ନବୀନ ନିବାସ ଭିତରର ଓ ଉଭୟଙ୍କ ଜାଣତରେ ଏହି ଫଟୋଟି ଉଠାଯାଇଛି । ତେବେ ଏ ଫଟୋ ହଠାତ କାହିଁକି ଆବିର୍ଭାବ ହେଲା ବା ପ୍ରକଟ ହେଲା ତାହା ଜାଣିବା ପାଇଁ ଅନେକ ବ୍ୟାକୁଳ ହେବା ସ୍ୱାଭାବିକ ।

ଯେତେବେଳେ କିଛି ଗଣମାଧ୍ୟମ ଓ ବିରୋଧୀ ଦଳ ପାଣ୍ଡିଆନଙ୍କୁ ଦ୍ୱିତୀୟ କ୍ଷମତାକେନ୍ଦ୍ରର ଆଖ୍ୟା ଦେଉଥିଲେ ଆଉ ଅତି ଚତୁରତାର ସହ ନିର୍ବାଚନ ଫଳାଫଳ ଆସିବା ପରେ ନବୀନଙ୍କ ସହ ପାଣ୍ଡିଆନଙ୍କ ଫଟୋ ବାହାରକୁ ଛାଡି ଦିଆଗଲା । ନିର୍ବାଚନ ପ୍ରକ୍ରିୟାରେ ବିଜୁ ଜନତା ଦଳର ପ୍ରଚାର ପ୍ରସାର ଦାୟିତ୍ୱର ପରଦା ପଛରେ ଥିବା ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ହିଁ ଏହି ଫଟୋକୁ ପ୍ରଥମେ ଫେସବୁକରେ ପୋଷ୍ଟ କରିଥିଲେ । ବୋଧହୁଏ କୁହାଯାଇପାରେ ସେ ହିଁ ଫଟୋ ଉଠାଇ ଥାଇପାରନ୍ତି ବା ଏହି ଫଟୋକୁ ମଧ୍ୟ ପ୍ରଚାର ପ୍ରସାର କରିବାର ଦାୟିତ୍ୱ ନେଇ ଥାଇପାରନ୍ତି ।

ତେବେ ନିର୍ବାଚନ ଫଳାଫଳ ଆସିବା, ମୁଖ୍ୟମନ୍ତ୍ରୀଙ୍କ ସହ ନୂଆ ମନ୍ତ୍ରୀମାନେ ଶପଥ ନେବା ଓ ନୂଆ ସରକାର ଗଢ଼ା ହେବା ପରେ ହିଁ ଏହି ଫଟୋକୁ ଭାଇରାଲ କରାଯାଇଛି । ନୀଳମାଧବ ପଣ୍ଡା ଓ ବିଜେଡିର ଅନ୍ୟାନ୍ୟ ମୁଖପାତ୍ର ଏହି ଫଟୋକୁ ପୋଷ୍ଟ କରି ପାଣ୍ଡିଆନଙ୍କୁ ଯଥା ସମ୍ଭବ ଶ୍ରେୟ ଦେବାକୁ ଚେଷ୍ଟା କରିଛନ୍ତି । ଯଦି ଠିକସେ ଏହାକୁ ବୁଝିବାକୁ ଚେଷ୍ଟା କରିବେ ତେବେ ପାଠକେ ଜାଣିପାରିବେ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ତଥା ମିଡିଆ ପାଣ୍ଡିଆନଙ୍କୁ ଯେଉଁଭଳି ଭାବରେ ଚିତ୍ରଣ କରିଥିଲା ସେଥିରୁ ମୁକୁଳାଇବା ପାଇଁ ବା ସେ କଳଙ୍କକୁ ଲିଭାଇବା ପାଇଁ ନବୀନ ବାବୁଙ୍କ ସହ ଏହି ଗୋଟିଏ ଫଟୋ ହିଁ ଯଥେଷ୍ଟ ଏହା ପ୍ରମାଣିତ ହୋଇଛି ।

ନିର୍ବାଚନ ପୂର୍ବରୁ ତାଙ୍କୁ ବିଜେପି କଳାପାହାଡ କହିବା, ତାଙ୍କ ଘର ଉପରକୁ ଆକ୍ରମଣ ହେବା, ବ୍ୟକ୍ତିଗତ ସ୍ତରକୁ ଯାଇ ସମାଲୋଚନା କରାଯିବା ଭଳି ଘଟଣା ପାଣ୍ଡିଆନଙ୍କ ଚରିତ୍ରକୁ ମଳିନ କରିବା ସଦୃଶ ହୋଇଥିବା ବେଳେ ନିଜ ସଫଳତା ପାଇଁ ସମସ୍ତ ଶ୍ରେୟ କେବଳ ପାଣ୍ଡିଆନଙ୍କୁ ଦେବା ପାଇଁ ଚାହିଁଛନ୍ତି ନବୀନ । ନଚେତ ଜଣେ ମୁଖ୍ୟମନ୍ତ୍ରୀ ଯିଏ ଗଣମାଧ୍ୟମ ସାକ୍ଷାତକାରରେ ବେତ ଚଉକିରେ ବସିଥିବାର ଦେଖାଯାଏ ସେ ପାଣ୍ଡିଆନଙ୍କ ପାଖରେ ପୁରୁଣା ପ୍ଲାଷ୍ଟିକ ଚଉକିରେ କରିଡରରେ ବା କାହିଁକି ବସିଥାଆନ୍ତେ । ଏହାଦ୍ୱାରା କଣ ବାର୍ତ୍ତା ଦେବାକୁ ଚାହିଁଛନ୍ତି ନବୀନ ?

ତେବେ ଏ ଫଟୋରେ ଦୁଇଜଣଙ୍କ କାହାଣୀ ଛପି ରହିଛି । ବିଜେଡି ଓ ନବୀନ ବାବୁଙ୍କ ଅଧିନରେ ଥିବା ସ୍ତାବକ ମିଡିଆକୁ ଏହାର ପ୍ରଚାର ପ୍ରସାର ପାଇଁ ଯେତିକି ଲେଖା ଯାଇଛି ସେତିକି ପ୍ରକାଶ ପାଇଛି । ଯେଉଁଥିରେ ପାଣ୍ଡିଆନଙ୍କୁ ଖୁସ୍ କରାଯାଇଛି ବା ତାଙ୍କୁ ସବୁ ସଫଳତାର ଶ୍ରେୟ ଦେବାକୁ ଚେଷ୍ଟା କରାଯାଇଛି । କିନ୍ତୁ ଏ ଫଟୋ ପଛର ଆଉ ଏକ କାହାଣୀକୁ ଆବିଷ୍କାର କରାଯାଇପାରେ । ତାହା ହେଲା ନବୀନ ବାବୁଙ୍କ ବ୍ୟକ୍ତିତ୍ୱ ।

ପ୍ରାୟ ସମସ୍ତେ କୁହନ୍ତି ନବୀନ ସ୍ୱାର୍ଥପର ଓ ନିଷ୍ଠୁର ନେତା । ସେ ବ୍ୟବହାର କରିସାରି ଫିଙ୍ଗିବାର ଲମ୍ବା ତାଲିକା ଓଡିଶା ରାଜନୀତି ଇତିହାସରେ ଲେଖା ଅଛି । ହେଲେ ଏ ଫଟୋ ତ ଆଉ କିଛି କହୁଛି । ଯଦି ବାସ୍ତବରେ ପାଣ୍ଡିଆନ ହିଁ ଇନ୍ଦ୍ରଦ୍ୟୁମ୍ନ ହୋଇ ବିଜେଡିକୁ ରାଜନୀତିର ବିସ୍ତୀର୍ଣ୍ଣ ବାଲୁକାଶଯ୍ୟାରୁ ଉଦ୍ଧାର କରିଛନ୍ତି ତେବେ ତା ପାଇଁ ଏ ଫଟୋ ହିଁ ଏକମାତ୍ର ପୁରସ୍କାର ହୋଇପାରେ । ବିରୋଧୀ ଓ କିଛି ଗଣମାଧ୍ୟମ ତାଙ୍କୁ କଳାପାହାଡର ପରିଚୟ ଦେଇଥିଲେ ବି ନବୀନଙ୍କ ପାଇଁ ସେ ଇନ୍ଦ୍ରଦ୍ୟୁମ୍ନ । ନହେଲେ ଏମିତି ଫାଙ୍କା ସମୟରେ ଏ ଗୁଗଲୀ ଫଟୋ କାହିଁକି ବା ବାହାରକୁ ଆସିଥାଆନ୍ତା ।

ତେବେ ଏକଥା କୁହାଯାଇପାରେ ଏହି ଫଟୋ ମାଧ୍ୟମରେ ଖାଲି ବିରୋଧୀ ନୁହଁନ୍ତି ବରଂ ଦଳ ଭିତରେ ନବୀନଙ୍କ ସହ ପାଣ୍ଡିଆନଙ୍କ ସଂପର୍କ ଓ ତାଙ୍କ ଗୁରୁତ୍ୱକୁ ବେଶ୍ ଭଲଭାବେ ବୁଝାଇ ଦିଆଯାଇଛି । କଳାପାହାଡ ଭାବେ ଚିତ୍ରଣ କରାଯାଉଥିଲେ ବି ୨୦୧୪ ଠାରୁ ବାଲିରେ ପୋତି ହୋଇ ଯାଉଥିବା ବିଜେଡିର ଭଗ୍ନାବଶେଷକୁ ଇନ୍ଦ୍ରଦ୍ୟୁମ୍ନ ହୋଇ ଉଦ୍ଧାର କରିବାରେ ପାଣ୍ଡିଆନ ଯେଉଁ ନିଷ୍ଠା, ପରିଶ୍ରମ ଓ ଧୈର୍ଯ୍ୟ ଦେଖାଇଛନ୍ତି ବୋଧହୁଏ ତାହାର ଶ୍ରେୟ ଦେବାକୁ ଯାଇ ନବୀନ ବାବୁ ଏ ପ୍ଲାଷ୍ଟିକ ଚୌକି ଉପରେ ବସି ପୋଜ୍ ଦେଇ ପାରିଛନ୍ତି ଆଉ ମୁରୁକି ହସି ମନେ ମନେ କହିଛନ୍ତି ଦି ଆୱାର୍ଡ ଗୋଜ୍ ଟୁ……

Related Posts