ଶୋଚନୀୟ ପରାଜୟ ପରେ ତେଜୁଛି କଂଗ୍ରେସର ଆଭ୍ୟନ୍ତରୀଣ ବିବାଦ: ସୋନିଆ ଗାନ୍ଧିଙ୍କୁ ଭେଟିବେ ଜି-୨୩ ଗୋଷ୍ଠୀର ନେତା ଗୁଲାମ ନବୀ ଆଜାଦ୍‌

୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ର ଶୋଚନୀୟ ପରାଜୟ ପରେ ଏବେ ଦଳ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ମୁଣ୍ଡ ଟେକିଛି । ପୁଣି ସକ୍ରିୟ ହୋଇଉଠିଛି ଜି-୨୩ ଗୋଷ୍ଠୀ | ଦଳଭିତରେ ସୁପ୍ତ ଅବସ୍ଥାରେ ଥିବା ବିଦ୍ରୋହ ପୁଣି ଥରେ ଜାଗ୍ରତ ହୋଇଥିବା ବେଳେ ଗତକାଲି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମଧ୍ୟରେ ବୈଠକ ହୋଇଛି। ଜି-୨୩ ଗୋଷ୍ଠୀର ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ହୋଇଥିବା ଡିନର ବୈଠକରେ ଅନେକ ନେତା ଯୋଗ ଦେଇଥିଲେ। ତେବେ ଦଳରେ ବିଭାଜନ ସୃଷ୍ଟି କରିବା କୌଣସି ଉଦ୍ଦେଶ୍ୟ ନାହିଁ ବରଂ ମୁଖ୍ୟ ପଦପଦବୀରେ ଥିବା ଗାନ୍ଧିଙ୍କ ଅନୁଗତମାନଙ୍କୁ ହଟାଯିବା ଉଚିତ ବୋଲି ବୈଠକରେ ଚର୍ଚ୍ଚା ହୋଇଥିବା ବିଶେଷ ସୂତ୍ରରୁ ଜଣାଡ଼ିଛି। ଏହି ଅନୁଗତମାନଙ୍କୁ ବିଦା କରି ଦଳର ପୁନର୍ଗଠନ ପାଇଁ ସୋନିଆ ଗାନ୍ଧିଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ମତ ପ୍ରକାଶ ପାଇଛି।

ସେପଟେ ଖୁବ୍‌ ଶୀଘ୍ର ଜି-୨୩ ଗୋଷ୍ଠୀର ନେତା ଗୁଲାମ ନବୀ ଆଜାଦ୍‌ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବା ନେଇ ବିଷେଶ ସୂତ୍ରରୁ ଜଣାପଡ଼ିଛି। ଗୁଲାମ ନବୀ ଆଜାଦ୍‌ଙ୍କ ନେତୃରେ ଜି-୨୩ ଗୋଷ୍ଠୀ ନେତୃତ୍ୱ ପରିବର୍ତ୍ତନ ନେଇ ମୁହଁ ଖୋଲିଥିଲା। ମୁଖ୍ୟତଃ ଗାନ୍ଧି ପରିବାର ଦାୟିତ୍ୱରୁ ମୁକ୍ତ ହୋଇ ନୂଆ ନେତାଙ୍କୁ ସୁଯୋଗ ଦେବାକୁ ଜି-୨୩ ଗୋଷ୍ଠୀ ଚିଠି ଲେଖିଥିଲା। ନିକଟରେ ୫ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଜି-୨୩ ଗୋଷ୍ଠୀ ଏକାଠି ହୋଇଥିଲା । ଏହା ପରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି କଂଗ୍ରେସ କାର୍ଯ୍ୟକାରୀ ବୈଠକ ଡକାଇ ପରାଜୟର ସମୀକ୍ଷା କରିଥିଲେ।

ଏହା ପରେ ପରାଜୟ ପାଇଁ ସମ୍ପୃକ୍ତ ରାଜ୍ୟର ସଭାପତିଙ୍କୁ ଦାୟୀ କରାଯାଇ ସେମାନଙ୍କୁ ହଟାଯାଇଛି। ତେବେ ପୁଣି ଗତକାଲି ହଠାତ୍‌ ଜି-୨୩ ଗୋଷ୍ଠୀ ମଧ୍ୟରେ ବୈଠକ ହୋଇଛି। ତେବେ ଖୁବ୍‌ଶୀଘ୍ର ଗୁଲାମ ନବୀ ଆଜାଦ୍‌ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ଜି-୨୩ ଗୋଷ୍ଠୀର ଆଭିମୁଖ୍ୟ ଜଣାଇବେ ଏବଂ ଏନେଇ ମାନସ ମନ୍ଥନ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।

Related Posts