
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ମେ ୧୪ ତାରିଖରେ ଚାଷୀଙ୍କୁ ମୌସିମ ପୁର୍ବରୁ ସହାୟତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ହଜାର ଲେଖାଏ ଟଙ୍କା ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନରେ ୯.୫୦ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ପଠାଯାଇଥିଲା । ପ୍ରତିବର୍ଷ ୩ଟି କିସ୍ତିରେ କେନ୍ଦ୍ର ସରକାର ୬ ହଜାର ଟଙ୍କା ଚାଷୀଙ୍କୁ ଏହି ଯୋଜନା ଅଧିନରେ ଦେଉଛନ୍ତି । ଏଥର ମୋଦି ୧୪ ତାରିଖରେ ଟଙ୍କା ପଠାଇବା ପରେ ଚାଷୀଙ୍କୁ ଝଟକା ଲାଗିଛି । ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା କଥା କହୁଥିବା ମୋଦି ସରକାର ହଠାତ୍ ଚାଷ କ୍ଷେତ୍ର ପାଇଁ ବ୍ୟବହୃତ ହେଉଥିବା ସାର ଓ ପିଡିଆର ଦାମ୍ ବୃଦ୍ଧି କରିଛନ୍ତି । ଯାହାକୁ ନେଇ ବିରୋଧି ମାନେ ବିଭିନ୍ନ ମତ ଦେବା ସହ ନିନ୍ଦା କରିଛନ୍ତି । ବୁଧବାର ଦିନ ସାରର ମୂଲ୍ୟ ବୃଦ୍ଧି ପାଇଁ କଂଗ୍ରେସ, କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୁରଜେୱାଲା କହିଛନ୍ତି ୨୦୧୪ ମସିହାରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ, ୫୦ କିଲୋଗ୍ରାମ ବ୍ୟାଗ ଡାଇମୋନିୟମ ଫସ୍ଫେଟ୍ ସାରର ମୂଲ୍ୟ ୧୦୭୫ ଟଙ୍କା ଥିଲା କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ୧୯୦୦ ଟଙ୍କାରେ ପହଞ୍ଚିଛି । ୭୪ ବର୍ଷ ମଧ୍ୟରେ ସରକାର ପ୍ରଥମ ଥର ପାଇଁ ଏତେ ପରିମାଣରେ ଦର ବୃଦ୍ଧି କରିଛନ୍ତି । ୬୨୦ ମିଲିୟନ୍ ଚାଷୀଙ୍କୁ ଶୋଷଣ ବନ୍ଦ କରିବାକୁ ସେ ସରକାରଙ୍କୁ କହିଛନ୍ତି । ସୁରଜେୱାଲା କହିଛନ୍ତ ଯେ, ସାର, କୀଟନାଶକ, କୃଷିଉପକରଣ ଏବଂ ଟ୍ରାକଟର ଉପରେ କେନ୍ଦ୍ର ବର୍ତ୍ତମାନ ଯଥା କ୍ରମେ ୫%,୧୮%ଏବଂ ୧୨% ଦ୍ରବ୍ୟ ଏବଂ ସେବା ଟିକସ ଆଦାୟ କରୁଛି । ଗୋଟିଏ ବର୍ଷରେ ଡିଜେଲ ଦର ୨୧.୨୨ ଟଙ୍କା ବୃଦ୍ଧି ହୋଇଛି । ଏ ସବୁ ବୃଦ୍ଧିକୁ ନେଇ ସରକାରଙ୍କୁ ନିନ୍ଦା କରିଛନ୍ତି । ଚାଷୀ ବ୍ୟବହୃତ କରୁଥିବା କଞ୍ଚା ମାଲ ଡିଜେଲ ୨୮-୩୭ ଟଙ୍କା ଏକ୍ସଡ୍ୟୁଟି ଭାବରେ ଲାଗୁ କରି ସରକାର ପ୍ରକୃତରେ ଚଷୀ ମାନଙ୍କ ଉପରେ ନିର୍ଯାତନା ଦେଉଛନ୍ତି । ସୁରଜେୱାଲା ଏକ ଆକଳନ କରି କକହିଛନ୍ତି ଯେ ମୂଲ୍ୟ ବୃଦ୍ଧି ଚାଷୀ ଉପରେ ୨୦,୦୦୦ କୋଟି ଟଙ୍କାର ଅତିରିକ୍ତ ବୋଝ ବୋଲି କହିଛନ୍ତି । ସମସ୍ତ କଞ୍ଚାମାଲ ମୂଲ୍ୟ ବୃଦ୍ଧି କରି ଗତ ବର୍ଷ ତିନୋଟି କଳା ଚାଷୀ ଆଇନ୍ କରିବା, ଡିଜେଲ୍ ଦର ବୃଦ୍ଧି ଏବଂ କୃଷି ଟିକସ ଆଦାୟ କରି ସରକାର କୃଷି କ୍ଷେତ୍ରକୁ ନଷ୍ଟ କରିଛନ୍ତି ଓ କୃଷକ ମାନଙ୍କୁ ଦାସ କରିବାକୁ ଏହା ଏକ ଷଡଜନ୍ତ୍ର ବୋଲି ସୁରଜେୱାଲା କହିଛନ୍ତି ।