ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭାରତରେ ୨ ବିଲିୟନ ଆମେରିକୀୟ ଡଲାର ନିବେଶ କରିବ ୟୁଏଇ । ତେବେ ମିଳିତ ନିବେଶ, କାରବାର ସମେତ ଦକ୍ଷିଣ ଏସିଆ ଓ ମଧ୍ୟପ୍ରାଚ୍ୟରେ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଭାରତ, ଇସ୍ରାଏଲ, ଆମେରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଗୁରୁବାର ପ୍ରଥମ ଆଇ୨ୟୁ୨ ସମ୍ମିଳନୀ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଇସ୍ରାଏଲ ପ୍ରତିପକ୍ଷ ୟେର ଲ୍ୟାପିଡ୍‌, ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ୍‌ ଜାୟେଦ୍‌ ଅଲ୍‌ ନହୟାନ୍‌ ଏବଂ ଆମେରିକା ପ୍ରତିପକ୍ଷ ଜୋ ବାଇଡେନ୍‌ ଯୋଗଦେଇଥିଲେ।

ଆଲୋଚନାରେ ୟୁଏଇ ଇଣ୍ଟିଗ୍ରେଟେଡ୍‌ ଫୁଡ୍‌ ପାର୍କ ସ୍ଥାପନ ପାଇଁ ଭାରତରେ ୨ ବିଲିୟନ ଆମେରିକୀୟ ଡଲାର ନିବେଶ କରିବ ବୋଲି ଘୋଷଣା କରିଛି। ଏଥିପାଇଁ ନୂଆଦିଲ୍ଲୀ ଆବଶ୍ୟକ ଜମି ଯୋଗାଇବା ସହ ଚାଷୀଙ୍କୁ ମଧ୍ୟ ଏଥିରେ ସାମିଲ କରିବ ବୋଲି ଏକ ମିଳିତ ବିବୃତିରେ କୁହାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।