ଭାରତୀୟ ମହିଳା ହକି ଟିମ୍ ର ଖେଳାଳି ବନ୍ଦନା କଟାରିଆଙ୍କ ବିରୋଧରେ ଜାତିଭିତ୍ତିକ ମନ୍ତବ୍ୟ ଦେଇ ଯୁବକ ଗିରଫ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତର ପୁରୁଷ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛି। ଏହାକୁ ସାରା ଦେଶରେ ଉତ୍ସାହର ମାହୋଲ। ଏବେ ସମସ୍ତଙ୍କ ନଜର ରହିଛି ମହିଳା ହକି ଟିମ୍ ଉପରେ। ସାରା ଦେଶ ସେମାନଙ୍କ ପାଇଁ ପ୍ରାର୍ଥନା କରୁଛି। ଏବଂ ଉତ୍ସାହର ସହ ମ୍ୟାଚ୍ ଦେଖିବା ପାଇଁ ଅପେକ୍ଷା କରିଛି। ଏହା ମଧ୍ୟରେ ମହିଳା ହକି ଟିମ୍ ର ଜଣେ ଖେଳାଳି ବନ୍ଦନା କଟାରିଆଙ୍କ ପରିବାର ଏକ ଗମ୍ଭୀର ଆରୋପ ଲଗାଇଛନ୍ତି।

କଟାରିଆଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ଟୋକିଓ ଅଲିମ୍ପିକ୍ସରେ ଭାରତ ମହିଳା ହକି ଟିମ୍ ସେମିଫାଇନାଲରେ ହାରିଯିବା ପରେ ବନ୍ଦନା କଟାରିଆଙ୍କ ହରିଦ୍ୱାର ସ୍ଥିତ ରୋଶନାବାଦ ଗାଁର କିଛି ଉଚ୍ଚ ଜାତିର ଯୁବକ ତାଙ୍କ ଘର ଆଗରେ ବାଣ ଫୁଟାଇ ଗାଳି ଗୁଲଜ କରିବା ସଙ୍ଗେ ସଙ୍ଗେ ଜାତିଭିତ୍ତିକ ମନ୍ତବ୍ୟ ଦେଇ ଆକ୍ଷେପ କରିଥିଲେ।  ତେବେ ଏହି ଘଟଣାରେ ଗୁରୁବାର ସକାଳେ ରୋଶନାବାଦ ଷ୍ଟାଡିୟମ ପକ୍ଷରୁ ଏକ ଏଫଆଇଆର ଦାଖଲ କରାଯାଇଥିଲା । ପୁଲିସ ମୁଖ୍ୟ ଅଭିଯୁକ୍ତ ବିଜୟପାଲ (୨୫) ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୋଜୁଥିବା ନେଇ ସୂଚନା ଦେଇଛି। 

 ବନ୍ଦାନାଙ୍କ ଭାଇ ଚନ୍ଦ୍ର ଶେଖର ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି, “ ଯେତେବେଳ ସେମିଫାଇନାଲରେ ମହିଳା ହକି ଦଳ ହାରିଗଲା ଆମେ ଦେଖିଥିଲୁ ୩ ରୁ ୪ ଜଣ ଯୁବକ ବାଣ ଫୁଟାଇ ଆମ ଘର ବାହାରେ ନାଚୁଥିଲେ।  ସେମାନେ କହିଥିଲେ ଯେ ଆମ ଜାତିର ଲୋକମାନେ ଜାତୀୟ ଟିମ୍ ରେ କିପରି ଖେଳି ପାରିବେ ? ଆମ ପରିବାର ବର୍ତ୍ତମାନ ଭୟଭୀତ ଅବସ୍ଥାରେ ଅଛନ୍ତି କାରଣ ସେହି ଯୁବକମାନେ ଆମକୁ ମାରିଦେବାକୁ ଧମକ ଦେଇଛନ୍ତି।  ଏ ସମ୍ପର୍କରେ ଆମେ ପୋଲିସରେ ଅଭିଯୋଗ କରିଛୁ ବୋଲି ବନ୍ଦନାଙ୍କ ଭାଇ ସୂଚନା ଦେଇଛନ୍ତି। ”  

ଚନ୍ଦ୍ର ଶେଖର କହିଛନ୍ତି ଯେ , “ସେମାନଙ୍କ ମଧ୍ୟରୁ ଦୁଇଜଣ ହକି ଖେଳାଳି ଏବଂ ସେମାନଙ୍କ ସହ ଆମର ଶତ୍ରୁତା ଅଛି। କିନ୍ତୁ ଅଲିମ୍ପିକ୍ସରେ ଜାତୀୟ ଦଳର ପରାଜୟ ଉପରେ ଏହି ପ୍ରକାର ଆଚରଣ ଗ୍ରହଣୀୟ ନୁହେଁ।  ସେମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଉଚିତ ବୋଲି ସେ କହିଛନ୍ତି।

 ହରିଦ୍ୱାର ପୋଲିସର ସୂଚନାନୁସାରେ, ଆଇପିସି ଧାରା 504 ଏବଂ ଏସସି / ଏସଟି ଅଧିନିୟମ ଅନୁଯାୟୀ ତିନି ଜଣ ଅଭିଯୁକ୍ତ ବିଜୟ ପାଲ, ଅଙ୍କୁର ପାଲ ଏବଂ ସୁମିତ ଚୌହାନ ଏବଂ ଅନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।  

ସୂଚନା ଥାଉକି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଲମ୍ପିକର ଶେଷ ପୁଲ ମ୍ୟାଚରେ ଭାରତୀୟ ଖେଳାଳି ବନ୍ଦନା କଟାରିଆ ହ୍ୟାଟ୍ରିକ୍ ଗୋଲ କରିଥିଲେ । ମହିଳା ଭାରତୀୟ ଖେଳାଳି ହିସାବରେ କୌଣସି ଖେଳାଳି ଅଲିମ୍ପିକ୍ସରେ ହ୍ୟାଟ୍ରିକ ଗୋଲ ଦେବାରେ ବନ୍ଦନା ପ୍ରଥମ ଖେଳାଳି ଭାବେ ଇତିହାସ ରଚିଥିଲେ । ଏହା ପୂର୍ବରୁ କୌଣସି ଭାରତୀୟ ଖେଳାଳି ଅଲମ୍ପିକରେ ହ୍ୟାଟ୍ରିକ୍ ଗୋଲ ଦେଇନାହାନ୍ତି । ବର୍ତ୍ତମାନ ସମସ୍ତଙ୍କ ନଜର ଆସନ୍ତା କାଲିର ମ୍ୟାଚ ଉପରେ ରହିଛି। 

Related Posts