ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼: ଋଷି ସୁନକଙ୍କୁ ପଛରେ ପକାଇ ଆଗରେ ଲିଜ୍‌ ଟ୍ରସ

ଲଣ୍ଡନ: ବ୍ରିଟେନକୁ ମିଳିବ ନୂଆ ପ୍ରଧାନମନ୍ତ୍ରୀ । ଏନେଇ ନିର୍ବାଚନ ପକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ, ପୂର୍ବତନ ବିଦେଶ ସଚିବ ଲିଜ୍‌ ଟ୍ରସ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ।

ଦେଶବ୍ୟାପୀ ହୋଇଥିବା କନ୍‌ଜରଭେଟିଭ ପାର୍ଟି ଭୋଟିଂ, ୧୨ଟି ନିର୍ବାଚନୀ ସଭା ଓ ୩ଟି ଟିଭି ବିତର୍କରେ ଅନ୍ୟତମ ଦାବିଦାର ତଥା ପୂର୍ବତନ ଚାନ୍‌ସେଲର ଋଷି ସୁନକଙ୍କୁ ସେ ବହୁ ପଛରେ ପକାଇ ଦେଇଛନ୍ତି ।

ଟ୍ରସଙ୍କ ନାମ ବିଧିବଦ୍ଧ ଭାବେ ଆସନ୍ତା ସୋମବାର ଘୋଷଣା କରାଯିବ । ଏହାର ଦିନକ ପରେ ମଙ୍ଗଳବାର ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ରାଣୀ ଏଲିଜାବେଥଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ । କୋଭିଡ ସମୟରେ ପାର୍ଟି କରିବା, ଦରଦାମ ବୃଦ୍ଧି, ଇନ୍ଧନର ମୂଲ୍ୟ ଆକାଶଛୁଆଁ ହେବା ଓ ରୁଷ-ୟୁକ୍ରେନ ଯୁଦ୍ଧକୁ ବ୍ରିଟେନ ସମର୍ଥନ କରିବା ଭଳି ପ୍ରସଙ୍ଗକୁ ନେଇ ଜନସନ ବିବାଦୀୟ ହୋଇପଡିଥିଲେ ।

ତାଙ୍କ ବିରୋଧରେ ଦଳରେ ଅସନ୍ତୋଷ ଦେଖାଦେଇଥିଲା । ଫଳରେ ଗତମାସରେ ସେ ଇସ୍ତଫା ଘୋଷଣା କରିଥିଲେ । ଏହା ପରେ ଦଳରେ ନୂଆ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ପାଇଁ ଭୋଟିଂ ଆରମ୍ଭ ହୋଇଥିଲା । ଆସନ୍ତା ୨୦୨୫ ଜାନୁଆରୀରେ ଦେଶରେ ସାଧାରଣ ନିର୍ବାଚନ ହେବ ।

Related Posts