ଟୋକିଓ ପାରାଲିମ୍ପିକ୍ସ୍‌: ଡିସ୍‌କସ୍‌ ଥ୍ରୋ’ରେ ରୌପ୍ୟ ପଦକ ଜିତିଲେ ଯୋଗେଶ କଥୁନିଆ, ଜାଭ୍‌ଲିନ୍ ‌ଥ୍ରୋ’ ରେ ଦେବେନ୍ଦ୍ର ଝାଝଡ଼ିଆ ରୌପ୍ୟ ଓ ସୁନ୍ଦର ସିଂହ ଗୁର୍ଜର ଜିଣିଲେ କାଂସ୍ୟ ପଦକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଚଳିତ ଟୋକିଓ ପାରାଲିମ୍ପିକ୍ସ୍‌ରେ ଭାରତର ପ୍ରଦର୍ଶନ ପ୍ରଥମରୁ ଦମଦାର ରହିଛି।  ସୋମବାର ଭାରତକୁ ମିଳିଛି ପ୍ରଥମ ସ୍ୱର୍ଣ୍ଣ ପଦକ। ଦେଶ ପାଇଁ ଏହି ପଦକ ଜିତିଛନ୍ତି ଶୁଟର ଅବନୀ ଲେଖରା। ୧୦ ମିଟର ଏୟାର ରାଇଫଲ୍‌ରେ ସେ ହାସଲ କରିଛନ୍ତି ଏହି ଐତିହାସିକ ସଫଳତା। 

ସେହିପରି ପୁରୁଷ ବର୍ଗର ଜାଭ୍‌ଲିନ୍‌  ଥ୍ରୋ ପ୍ରତିଯୋଗିତାରେ ଆଜି ଭାରତ ରୌପ୍ୟ ଏବଂ କାଂସ୍ୟ ପଦକ ଲାଭ କରିଛି। ଏହି ପ୍ରତିଯୋଗିତାରେ ଭାରତର ଦେବେନ୍ଦ୍ର ଝାଝଡ଼ିଆ ‘ଏଫ୍‌୪୬ ଚୂଡ଼ାନ୍ତ ପ୍ରତିଯୋଗିତା’ରେ ୬୪.୩୫ ମିଟର୍‌ ମାର୍କ ଥ୍ରୋ କରି ଇତିହାସ ସୃଷ୍ଟି କରିଛନ୍ତି। 

ଜାଭ୍‌ଲିନ୍‌  ଥ୍ରୋ ପ୍ରତିଯୋଗିତାରେ ସେ  ରୌପ୍ୟ ପଦକ ହାସଲ କରିଥିବା ବେଳେ ସେହି ପ୍ରତିଯୋଗିତାରେ ସୁନ୍ଦର ସିଂହ ଗୁର୍ଜର ୬୪.୦୧ ମିଟର୍‌ମାର୍କ ଥ୍ରୋ କରି କାଂସ୍ୟ ପଦକ ଲାଭ କରିଛନ୍ତି। ଉଭୟଙ୍କ ପଦକକୁ ମିଶାଇ ଟୋକିଓ ପାରାଲିମ୍ପିକ୍ ରେ ଭାରତର ପଦକସଂଖ୍ୟା ୭ରେ ପହଞ୍ଚିଛି।

ଦୁଇଟି ପ୍ରତିଯୋଗିତାରେ ମାତ୍ର ୬୦ ମିଟର୍‌ ମାର୍କ ଥ୍ରୋ କରି ଝାଝଡ଼ିଆ ଆଜିର ପ୍ରତିଯୋଗିତା ଆରମ୍ଭ କରିଥିଲେ। କିନ୍ତୁ, ତୃତୀୟ ଥ୍ରୋ’ରେ ୬୪.୩୫ କରି ଭାରତର ପଦକ ଆଶା ଉଜ୍ଜୀବିତ କରିଥିଲେ। ପଞ୍ଚମ ଏବଂ ଷଷ୍ଠ ଥ୍ରୋ’ରେ ଭାରତୀୟ ପରା-ଆଥ୍‌ଲିଟ୍‌ ‘ଫାଉଲ୍‌ସ୍‌’ ଭାବେ ରେଜିଷ୍ଟର୍‌ ହୋଇଥିଲେ। ଏବଂ ଶେଷ ଥ୍ରୋ’ଟି ୬୧.୨୩ ମିଟର୍‌ ଭାବେ ରେଜିଷ୍ଟର୍‌ ହୋଇଥିଲା। ସୁନ୍ଦର ପଞ୍ଚମ ଉଦ୍ୟମରେ ସେ ୬୪ ମିଟର୍‌ ମାର୍କ ଊର୍ଦ୍ଧ୍ବକୁ ଯାଇ ମେଡାଲ୍‌ ପାଇବାକୁ ସ୍ତରକୁ ଆସିଥିଲେ।

ଅନ୍ୟପକ୍ଷରେ ଡିସ୍‌କସ୍‌ ଥ୍ରୋ (ଏଫ୍‌୫୬)ରେ ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ କଥୁନିଆ। ଆଜି ସେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସ୍ୱରୂପ ୪୪.୩୮ ମିଟର ପର୍ଯ୍ୟନ୍ତ ଡିସ୍‌କସ୍‌ ଫୋପାଡ଼ି ଥିଲେ। ଉଭୟ ଅବନୀ ଓ ଯୋଗେଶଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Related Posts