ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା; ଅକ୍ଟୋବର ୩୧ ପର୍ଯ୍ୟନ୍ତ ସମୟସୀମା ବଢାଇଲେ ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଏହି ଶୁଣାଣି ସମୟରେ ଧାର୍ଯ୍ୟ କରାଯାଇଥିବା ସମୟ ସୀମା ୧ ମାସ ବଢିବ ବୋଲି ସରକାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ତେବେ ଏଥିପାଇଁ ସମୟସୀମା ଆଜି ଶେଷ ହେଉଥିଲା, ଏହାକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢିବ ବୋଲି ସରକାରଙ୍କ ତରଫରୁ ହାଇକୋର୍ଟରେ ସୂଚନା ଦିଆଯାଇଛି। ଏଥିପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ କରାଯିବ, ଜନ ସେବା, ମୋ ସେବା କେନ୍ଦ୍ରରେ ନମ୍ୱର୍ ପ୍ଲେଟ ବୁକିଂ ହେବ, ଗ୍ରାମାଞ୍ଚଳରେ କ୍ୟାମ୍ପ ଆୟୋଜନ କରାଯିବା ସହିତ ଅନଲାଇନ ବ୍ୟବସ୍ଥାରେ କିପରି ସମସ୍ତଙ୍କୁ ସ୍ଲଟ୍ ମିଳିବ ତାହା ସୁନିଶ୍ଚିତ କରାଯିବ ବୋଲି ସରକାର ହାଇକୋର୍ଟରେ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ଏହି ମାମଲାରେ ଆବେଦନକାରୀମାନେ ଖବର କାଗଜର ରିପୋର୍ଟ ଦେଖାଇ ଡିସେମ୍ବର ପର୍ଯ୍ୟନ୍ତ କୌଣସି ସ୍ଲଟ୍‌ ନାହିଁ ବୋଲି କହିଥିଲେ। ତେବେ ସରକାରଙ୍କ ପକ୍ଷରୁ ସମୟ ସୀମାକୁ ବୃଦ୍ଧି କରା ଯାଉଥିବାରୁ ପରବର୍ତ୍ତୀ ଶୁଣାଣି ଯାଏ ଅପେକ୍ଷା କରିବାକୁ ହାଇକୋର୍ଟ ଆବେଦନକାରୀ ମାନଙ୍କୁ କହିଛନ୍ତି। ଏହା ସହିତ ଅକ୍ଟୋବର ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ। ସ୍ଥିତିରେ କ’ଣ ସୁଧାର ଆସିଛି ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ କୋର୍ଟରେ ତଥ୍ୟ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

Related Posts