ମିଶନ ଗୁଜୁରାଟ; ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ପରିସ୍ଥିତି ଆକଳନ କରିବାକୁ ଗୁଜୁରାଟରେ ପହଞ୍ଚିଲେ ପ୍ରଶାନ୍ତ କିଶୋରଙ୍କ ଟିମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟକୁ ନେଇ କଂଗ୍ରେସକର୍ମୀ ବର୍ତ୍ତମାନ ଚିନ୍ତାରେ । ସେପଟେ ପୁଣିଥରେ ନିଜର ଶକ୍ତିପ୍ରଦର୍ଶନ କରି ଛିଡ଼ା ହେବା ପ୍ରୟାସରେ ରହିଛି କଂଗ୍ରେସ । ଏହା ମଧ୍ୟରେ ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏବଂ ତାଙ୍କ ଟିମ ଗୁଜୁରାଟରେ ପହଞ୍ଚିଥିବାର ଖବର ସାମ୍ନାକୁ ଆସିଛି । ତେବେ ଏଥର ରାଜ୍ୟରେ କଂଗ୍ରେସର ସ୍ଥିତି କଣ ରହିଛି ତାହା ଅନୁଧ୍ୟାନ କରିବେ ବୋଲି ସୂଚନା ମିଳିଛି । ଅନ୍ୟପଟେ ରାଜ୍ୟମାନଙ୍କରେ ପରାଜୟ ପରେ କଂଗ୍ରେସ ପ୍ରଶାନ୍ତଙ୍କ ଶରଣ ନେଇଥିଲା । ଏହା ପରେ ପ୍ରଶାନ୍ତଙ୍କ ସହ ରାହୁଲ ଗାନ୍ଧୀଙ୍କ ଦୁଇ ରାଉଣ୍ଡ ଆଲୋଚନା ପରେ ପ୍ରଶାନ୍ତ କିଶୋର ଦଳ ପାଇଁ ଗୁଜୁରାଟରେ ବିଶେଷ ଭାବରେ କାର୍ଯ୍ୟ କରିବାକୁ ଯାଉଛନ୍ତି । ଗୁଜୁରାଟରେ କଂଗ୍ରେସ ଦଳ ୧୯୮୯ ମସିହାରୁ କ୍ଷମତାରେ ନାହିଁ।

ତେବେ ସୂତ୍ରରୁ ମିଳୁଥିବା ସୂଚନାରେ ବର୍ଷର ଶେଷ ଆଡକୁ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ରାଜ୍ୟ ଶାଖା ପ୍ରଶାନ୍ତ କିଶୋରଙ୍କ ସମେତ ପାଟିଦାର ନେତା ନରେଶ ପଟେଲଙ୍କୁ ନିଜ ପକ୍ଷରେ ନେବାକୁ ଚାହୁଁଛି। ସୌରାଷ୍ଟ୍ର କ୍ଷେତ୍ରରେ ନରେଶ ପଟେଲ ପାର୍ଟିର ବିଜୟ ସୁନିଶ୍ଚିତ କରିପାରିବେ ବୋଲି କଂଗ୍ରେସ ନେତାମାନେ ଭାବୁଥିବା ବେଳେ ପ୍ରଶାନ୍ତ କିଶୋର ପାର୍ଟି ଲାଗି ଏକ ନାରେଟିଭ ଓ ରାଜନୈତିକ ରଣନୀତି ପ୍ରସ୍ତୁତ କରିପାରିବେ ବୋଲି ଭାବୁଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts