
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସରକାର କରୋନା ମହାମାରୀ ଓ ଆର୍ଥିକ ଦୁରବସ୍ଥାକୁ ଦୃଷ୍ଟିରେ ରଖି ଅବସରପ୍ରାପ୍ତ ଅଧିକାରୀଙ୍କୁ ଆଉ ପୁନଃ ନିଯୁକ୍ତି ଦିଆଯିବ ନାହିଁ ବୋଲି ଗତ ବର୍ଷ ଜୁଲାଇ ମାସରୁ ନୀତିଗତ ନିଷ୍ପତ୍ତି ନେଇଥିଲେ ହେଁ ତାକୁ ନିଜେ ଉଲଂଘନ କରୁଛନ୍ତି। ଇତି ମଧ୍ୟରେ ଏକାଧିକ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦେଇଥିବା ନଜରକୁ ଆସିଛି। ପ୍ରାପ୍ତ ଖବର ଅନୁଯାୟୀ, ଗୃହ ବିଭାଗ ଜନୈକ ଓ. ଏସ. ଡି ରେ ଆଉ ଏକ ବର୍ଷ କାର୍ଯ୍ୟକାଳ ବୃଦ୍ଧି ପାଇଁ ପଦକ୍ଷେପ ନେଇଛନ୍ତି । ଏହି ଓ. ଏସ. ଡି ଜଣକ ଗତବର୍ଷ ଜୁନ୍ ମାସରେ ଚାକିରୀରୁ ଅବସର ନେବା ପରେ, ତାଙ୍କୁ ଏକ ବର୍ଷ ପାଇଁ ଗୃହ ବିଭାଗରେ ପୁନଃ ନିଯୁକ୍ତି ଦିଆଯାଇଥିଲା। ଏପରିକି ନିଯୁକ୍ତି ନିୟମ ବିରୋଧ ହୋଇଥିବାରୁ ସେତେବେଳେ ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା। ସରକାର ନୀତି ନା ବିରୋଧକୁ ଖାତିର କରିଥିଲେ। ଇତି ମଧ୍ୟରେ ତାଙ୍କର କାର୍ଯ୍ୟକାଳ ଏକ ବର୍ଷ ପୂରିବାକୁ ଯାଉଛି। ପୁଣି ଏକ ବର୍ଷ ପୁନଃ ନିଯୁକ୍ତି ପାଇଁ ଗୃହ ସଚିବ ପଦକ୍ଷେପ ନେଇଛନ୍ତି। ଖୋଦ୍ ଗୃହ ବିଭାଗର ଜଣେ ସ୍ୱତନ୍ତ୍ର ସଚିବ ପାହ୍ୟା, ଚାରି ଜଣ ଅତିରିକ୍ତ ଶାସନ ସଚିବ ପାହ୍ୟା ଓ ତିନି ଜଣ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ଥିବାବେଳେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କର ପୁନଃ ନିଯୁକ୍ତି କଣ ଆବଶ୍ୟକ ପଡିଲା ବୋଲି ସଚିବାଳୟ କର୍ମଚାରୀ ମାନେ ପ୍ରଶ୍ନ ଉଠାଇଛନ୍ତି। ଏଠାରେ ପ୍ରକାଶ ଥାଉକି ଗତ ମାସ ସରକାର ଓଡ଼ିଶା ପ୍ରଶାସନିକ ସେବାର ଅତିରିକ୍ତ ୪୦ ସ୍ବତନ୍ତ୍ର ସଚିବ , ୯୦ ଅତିରିକ୍ତ ଶାସନ ସଚିବ, ୩୫ ଯୁଗ୍ମ ଶାସନ ସଚିବ ପାହ୍ୟାର ପଦବୀ ସାଙ୍ଗକୁ ଅନ୍ୟ ପାହ୍ୟାର ଶହ ଶହ ନୂତନ ପଦବୀ ସୃଷ୍ଟି କରି ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଏପରି ସ୍ଥଳେ କେଉଁଥିପାଇଁ ଓ କାହା ସ୍ବାର୍ଥରେ ପୁଣି ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରଙ୍କ ସ୍ମରଣ ଉପରେ ପ୍ରଶ୍ନ ଉଠୁଛି।